ରାୟଗଡା, (୨୩/୦୩) : ଆପ୍ର. : ଅତିରିକ୍ତ ଜିଲ୍ଲାପାଳଙ୍କ ନାଁରେ ଏତଲା ଦେଲେ ସ୍ଥାନୀୟ ବାସିନ୍ଦା, ରାୟଗଡ଼ା ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କହଁରଙ୍କ ନାଁରେ ରାୟଗଡ଼ା ବ୍ଲକର ଅଂଚଳବାସୀ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ଅଂଚଳବାସୀ ନିଜର ସମସ୍ୟା ନେଇ ଅତିରିକ୍ତ ଜିଲ୍ଲାପାଳ ନୀହାର ରଞ୍ଜନ କହଁରଙ୍କ ନିକଟକୁ ଆସିଲେ ସେମାନଙ୍କୁ ଦୁର୍ବ୍ୟବହାର କରିବା, ଗାଳି ଗୁଲଜ କରିବା ଓ ଧର୍ମ ପରିବର୍ତନ ପାଇଁ ବାଧ୍ୟ କରୁଥିବା ନେଇ ଶୁକ୍ରବାର ସନ୍ଧ୍ୟାରେ ଥାନାରେ ଲିଖିତ ଅଭିଯୋଗ ହୋଇଛି । ରାୟଗଡ଼ା ବ୍ଲକ ଚାନ୍ଦିଲି, କୋମତାଲପେଟା ଓ ଜେକେପୁର ଯୁବକଙ୍କ ସମେତ ରାୟଗଡ଼ା ସହରର ବହୁ ଯୁବକ ଏହି ଏତଲା ଦେଇଛନ୍ତି । ଉକ୍ତ ଏତଲା ଅନୁସାରେ ଜିଲ୍ଲାପାଳ ପାରୁଲ ପଟାୱରି ଗୁରୁବାର ସନ୍ଧ୍ୟାରେ ନଥିବା ବେଳେ ଅତିରିକ୍ତ ଜିଲାପାଳ କହଁରଙ୍କୁ ଅଂଚଳବାସୀ ପାନୀୟ ଜଳ ସମସ୍ୟା ନେଇ ଭେଟିଥିଲେ ।
ଉକ୍ତ ସମୟରେ ଅଂଚଳବାସୀ ସମସ୍ୟା ନେଇ ଆସିଲେ ସେମାନଙ୍କୁ ଅଶିକ୍ଷିତ କହିବା ସହ ଜାତିଆଣ ଆକ୍ଷେପ କରିବା, ଦୁର୍ବ୍ୟବହାର କରିବା, ଗାଳିଗୁଲଜ କରିବା ସହିତ ଧର୍ମ ପରିବର୍ତନ କରିବାକୁ କହୁଥିଲେ ନଚେତ୍ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଭଳି ପରିସ୍ଥିତି ସୃଷ୍ଟି ହେବ ବୋଲି ଧମକ ଦେଇଥିବା ଉକ୍ତ ଅଭିଯୋଗରେ ଉଲେଖ ରହିଛି । ତେବେ ଏନେଇ ଅତିରିକ୍ତ ଜିଲାପାଳ ନୀହାର ରଞ୍ଜନ କହଁରଙ୍କୁ ପଚାରିବାରୁ ଏହା ସମ୍ପୂର୍ଣ୍ଣ ମିଥ୍ୟା ଏବଂ ସେହିଭଳି କିଛି ଘଟଣା ଘଟିନାହିଁ ବୋଲି କହିଛନ୍ତି । ଏହି ଏତଲା ଦେବା ସମୟରେ ଅଂଚଳର ବହୁ ଯୁବକଯୁବତୀ ଉପସ୍ଥିତ ଥିଲେ । ଏନେଇ କାହାର ପ୍ରତିକ୍ରିୟା ମିଳିପାରିନାହିଁ ।