ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦ୍ରାପଡା, (୦୩/୦୩) : ପରୀକ୍ଷା ବେଳେ ପର୍ଯ୍ୟବେକ୍ଷକଙ୍କ ଦ୍ୱାରା ଅସଦାଚରଣ ଶିକାର ହୋଇ ଜୀବନ ହାରିଲେ ଛାତ୍ରୀ । କେନ୍ଦ୍ରାପଡାର ପଟ୍ଟାମୁଣ୍ଡାଇ କଲେଜର ଜଣେ ଯୁକ୍ତ ୨ ଛାତ୍ରୀ ଜୀବନ ହାରିଛନ୍ତି ।
ପର୍ଯ୍ୟବେକ୍ଷକ ଥିବା ଅଧ୍ୟାପକଙ୍କ ଯୋଗୁଁ ଛାତ୍ରୀ ଜଣକ ଜୀବନ ହାରିଥିବା ନେଇ ସଂଗୀନ ଅଭିଯୋଗ ଆସିଛି । ଏନେଇ ଶନିବାର ଦିନ ତାଙ୍କ ମା’ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଛି । ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଫେବୃଆରୀ ୧୯ ତାରିଖ ଦିନ ପରୀକ୍ଷା ସମୟରେ ପର୍ଯ୍ୟବେକ୍ଷକ ଜଣକ କପି ଚେକ୍ କରିବା ବାହାନାରେ ତାଙ୍କୁ କମନ ରୁମକୁ ନେଇ ଖରାପ ଭାବରେ ସ୍ପର୍ଶ କରିଥିଲେ । ସେ ପ୍ରତିରୋଧ କରିବାରୁ ତାକୁ ଫେଲ୍ କରାଇବାର ଧମକ ମଧ୍ଯ ଦେଇଥିଲେ। ଏପରିକି ଘଟଣା ବିଷୟରେ କାହାକୁ ନ ଜଣାଇବାକୁ ଚେତାବନୀ ମଧ୍ଯ ଦେଇଥିଲେ ।
ପ୍ରାୟ ୧୦ ମିନିଟ୍ ପରେ ସେ ପରୀକ୍ଷା ହଲକୁ ଫେରି ଆସିଥିଲେ । ତେବେ ଘରେ ପହଞ୍ଚିବା ପରେ ସେ କାନ୍ଦି କାନ୍ଦି ତାଙ୍କ ମାଆଙ୍କୁ ସମସ୍ତ ଘଟଣା ସମ୍ପର୍କରେ କହିଥିଲେ ଏବଂ ଏକଥା ବି କହିଥିଲେ ଯେ ମୁଁ ସେଥିପାଇଁ କିଛି ଲେଖି ପାରିନାହିଁ । ଏହା ପରେ ପରିବାରବର୍ଗ କଲେଜ କର୍ତ୍ତୃପକ୍ଷଙ୍କୁ ଘଟଣା ବିଷୟରେ ଜଣାଇଥିଲା ବେଳେ ପରୀକ୍ଷା ସରିବା ପରେ ସମସ୍ୟାର ସମାଧାନ କରିବାକୁ ସେମାନେ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଫେବୃଆରୀ ୨୪ ତାରିଖରେ ଝିଅଟି ଜୀବନ ହାରିଥିବା ଜଣାପଡିଛି । ଅପରପକ୍ଷରେ ପୋଲିସ ପ୍ରଥମେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା ବେଳେ ମୃତକଙ୍କ ମାଆ ଲିଖିତ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ ହୋଇଛି ।