ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୧/୦୧) : ଅଫିସରଙ୍କ ଗାଡ଼ି ଭଡ଼ା ବଢ଼ାଇଲେ ରାଜ୍ୟ ସରକାର, ଫେବୃୟାରୀରୁ ଲାଗୁ ହେବ ନୂଆ ଦର ।
ଅର୍ଥ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ସଚିବ ଓ ତଦୁର୍ଦ୍ଧ୍ୱ, ଅତିରିକ୍ତ ସଚିବ, ବିଭାଗୀୟ ମୁଖ୍ୟ ଓ ଜିଲ୍ଲାପାଳଙ୍କ ସମେତ ଆଇଜି ଓ ତଦୁର୍ଦ୍ଧ୍ୱ ପାହ୍ୟାର ଆଇପିଏସ୍ ଅଫିସର, ସିସିଏଫ ଓ ତଦୁର୍ଦ୍ଧ୍ୱ ପାହ୍ୟାର ଆଇଏଫଏସ୍ ଅଫିସର, କମିଶନର ପାହ୍ୟାର ଆଇଏଏସ୍ ଅଫିସରମାନେ( ଚକବନ୍ଦୀ କମିଶନର, ବନ୍ଦୋବସ୍ତ କମିଶନର, ଭୂସଂସ୍କାର କମିଶନର ଆଦି ପଦବୀ ନୁହେଁ) ବ୍ୟକ୍ତିଗତ କାର୍ଯ୍ୟ ପାଇଁ ସରକାର ଗାଡ଼ିକୁ ସଂଶୋଧିତ ଭଡ଼ା ଦେଇ ଉପଯୋଗ କରିପାରିବେ । ଏବେ ମାସକୁ ସର୍ବାଧିକ ୩୦୦କିମି ପର୍ଯ୍ୟନ୍ତ ବ୍ୟକ୍ତିଗତ କାର୍ଯ୍ୟରେ ସରକାରୀ ଗାଡ଼ିର ଉପଯୋଗ ପାଇଁ ଅଫିସରଙ୍କୁ ୨୫୨୦ଟଙ୍କା ଏବଂ ୩୦୦ରୁ ୫୦୦କିମି ପର୍ଯ୍ୟନ୍ତ ୪୨୦୦ଟଙ୍କା ଦେବାକୁ ପଡ଼ୁଛି । ତେବେ ସଂଶୋଧିତ ଦରରେ ଆସନ୍ତା ଫେବୃୟାରୀ ପହିଲାରୁ ଏହା ଯଥାକ୍ରମେ ମାସିକ ଭଡ଼ା ୩୭୮୦ଟଙ୍କା ଓ ୬୩୦୦ଟଙ୍କା ଦେବାକୁ ପଡ଼ିବ ।
ବାସଭବନରୁ ଅଫିସ୍ ଯିବାଆସିବା, ଅଫିସ କାର୍ଯ୍ୟରେ ଭୁବନେଶ୍ୱରରୁ କଟକ ଯିବାଆସିବା ଏବଂ ବ୍ୟକ୍ତିଗତ କାର୍ଯ୍ୟ ନିମନ୍ତେ ସରକାରୀ ଗାଡ଼ି ଉପଯୋଗ ପାଇଁ ମଧ୍ୟ ଭଡ଼ା ଦରରେ ରାଜ୍ୟ ସରକାର ସଂଶୋଧନ କରିଛନ୍ତି । ଭୁବନେଶ୍ୱରୁ କଟକ ଅବା କଟକରୁ ଭୁବନେଶ୍ୱରରେ ଅଫିସ୍ କାର୍ଯ୍ୟ ପାଇଁ ଯାତାୟତ କରୁଥିବା ଅଫିସରମାନଙ୍କ ମାସିକ ଭଡ଼ା ବାବଦ ଅର୍ଥ ୬ହଜାର ଟଙ୍କାକୁ ଅପରିବର୍ତ୍ତିତ ରଖାଯାଇଛି । ତେବେ ଗୋଟିଏ ଗାଡ଼ିକୁ ଯଦି ମିଳିତ ଭାବେ ଅଫିସରମାନେ(ସିଙ୍ଗଲ ଗାଡ଼ି ଉପଯୋଗ ପାଇଁ ଯୋଗ୍ୟ ଅଫିସର) ବ୍ୟବହାର କରିବେ ତା’ହେଲେ ସେମାନଙ୍କଠୁ ସମାନ ଭାବରେ ଭଡ଼ା ଭାଗଭାଗ କରି ଆଦାୟ କରାଯାଇପାରିବ ।
ଉଦାହରଣ ସ୍ୱରୂପ ଦୁଇଜଣ ଅଫିସର ଯଦି କଟକରୁ ଭୁବନେଶ୍ୱର ଅବା ଭୁବନେଶ୍ୱରରୁ କଟକ ଗୋଟିଏ ଗାଡ଼ିରେ ଯାତାୟତ କରନ୍ତି ତେବେ ୬ହଜାର ଟଙ୍କା ଭଡ଼ାକୁ ଉଭୟଙ୍କଠୁ ସମାନ ଭାଗରେ ଆଦାୟ କରାଯିବ । ଅବଶ୍ୟ ଏଥିପାଇଁ ଉଭୟ ଅଫିସର ସିଙ୍ଗଲ ସରକାରୀ ଗାଡ଼ି ଉପଯୋଗ ନିମନ୍ତେ ଯୋଗ୍ୟ ହୋଇଥିବା ଜରୁରୀ ।