ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨୦/୧) : ଭାରତୀୟ କଳା ସଂସ୍କୃତି ତଥା ଓଡିଶୀ ନୃତ୍ୟ ସଂଗୀତ ପ୍ରଚାର ପ୍ରସାର ପାଇଁ ଅହରହ ପ୍ରୟାସ ଜାରି ରଖିଛି ଅମୂଲ୍ୟ ଭାରତ ସଙ୍ଗୀତ କଳା ପରିଷଦ ମହାବିଦ୍ୟାଳୟ ଅନୁଷ୍ଠାନ ।
ଗୁଣପୁର ଅଞ୍ଚଳର ଲୁକ୍କାୟିତ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବାକୁ ଗୁରୁ ରିନା ରାଣୀ ସାହୁ ସଦା ଚେଷ୍ଟିତ । ଗୁରୁ ରିନା ରାଣୀ ଙ୍କ ପ୍ରୟାସରେ, ଗୁଣପୁର ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ନୃତ୍ୟ ଶିଳ୍ପୀ ମାନେ ରାଜ୍ୟ ତଥା ରାଜ୍ୟ ବାହାରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଜଗନ୍ନାଥ ଧାମ ପୁରୀର ଶ୍ରୀ ଗୈାର ବିହାର ଆଧ୍ୟାତ୍ମିକ ଦାତବ୍ୟ ଟ୍ରଷ୍ଟ ପକ୍ଷରୁ ଆୟୋଜିତ, ଆଶ୍ରମ ପ୍ରତିଷ୍ଠାତା ପୂଜ୍ୟ ଶ୍ରୀ ସୁବଳ ବାବାଙ୍କ ୭୫ ତମ ସ୍ଵନକ୍ଷତ୍ର ଅମୃତ ମହୋତ୍ସବ ଅବସରରେ ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ଅବସରରେ ଗୁରୁ ରିନା ରାଣୀ ଙ୍କ ତତ୍ତ୍ଵାବଧାନରେ ୧୦ ଜଣ କଳାକାର ନିମନ୍ତ୍ରିତ ହୋଇ ଅମୃତ ମହୋତ୍ସବ କାର୍ଯ୍ୟକ୍ରମରେ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ ।
ଉପସ୍ଥିତ ସାଧୁସନ୍ଥମାନେ କୁନିକୁନି କଳାକାର ଙ୍କ ଓଡିଶୀ ନୃତ୍ୟ ଦେଖି ଭାବ ବିଭୋର ହୋଇପଡ଼ିଥିଲେ । ନଅ ଦିନ ଧରି ଚାଲିଥିବା ଏହି ଅମୃତ ମହୋତ୍ସବ କାର୍ଯ୍ୟକ୍ରମର ଶେଷ ଦିବସରେ କଳାକାର ମାନଙ୍କୁ ଉପଢ଼ୌକନ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଗୁରୁ ଶିଷ୍ୟ ପରମ୍ପରାକୁ ବଜାୟ ରଖିବା ଉଦ୍ଦେଶ୍ୟ ସହ ଗୁଣପୁର ଅଞ୍ଚଳର ଲୁକ୍କାୟିତ ପ୍ରତିଭାଙ୍କୁ ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରତିଷ୍ଠିତ କରାଇବାରେ ଗୁରୁ ରିନା ରାଣୀ ଙ୍କ ପ୍ରୟାସ କୁ ବୁଦ୍ଧିଜୀବି ମହଲରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି ।