ଭୁବନେଶ୍ୱର, (୦୫/୦୫) : ଆପ୍ର. : ରାଜ୍ୟକୁ ପୁଣି ଫେରିବ ତାତି । ଆଉ ୩ ଦିନ ପରେ କଲବଲ କରିବ ମୁଣ୍ଡଫଟା ଖରା । ୮ତାରିଖରୁ ପାଖାପାଖି ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ତାପମାତ୍ରା ।
ଏପଟେ ରାଜ୍ୟରେ ଆହୁରି ୨ ଦିନ କାଳବୈଶାଖୀ ବର୍ଷା ରହିଛି । ବର୍ଷା ପ୍ରଭାବରେ କମ ରହିବ ଦିନ ତାପମାତ୍ରା । ଆଜି ୫ ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ ଏବଂ ଗଜପତି ଜିଲ୍ଲାକୁ ଅରେଞ୍ଜ ଏବଂ ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି । ଉପକୂଳ ଓ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ମଧ୍ୟ କାଳବୈଶାଖୀ ପ୍ରଭାବ ରହିବ।
ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶା ସମେତ ଗଜପତି ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ଅଧିକ ରହିବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଘଡ଼ଘଡ଼ି ସହ ବର୍ଷା, ପବନ, କୁଆପଥର ମାଡ଼ ଆଶଙ୍କା ରହିଛି । ଏହାର ପ୍ରଭାବରେ ତାପମାତ୍ରା ବଢ଼ିବନି । ୮ ତାରିଖଠାରୁ ରାଜ୍ୟରେ ତାତି ବଢ଼ିବା ସମ୍ଭାବନା ଅଛି ।