ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଝାରସୁଗୁଡା, (୦୨/୦୩) : ଆଜିଠୁ ଆରମ୍ଭ ହୋଇଛି ମୁମ୍ବାଇ-ଝାରସୁଗୁଡ଼ା ମଧ୍ଯରେ ବିମାନ ସେବା । ମାୟାନଗରୀ ମୁମ୍ବାଇ ସହ ଶିଳ୍ପନଗରୀ ଝାରସୁଗୁଡ଼ା ସିଧାସଳଖ ଆକାଶ ପଥରେ ଯୋଡ଼ି ହୋଇଛି ।
ଆଜି ପୂର୍ବାହ୍ନ ୧୦ ଟା ୫୫ ରେ ମୁମ୍ବାଇରୁ ଇଣ୍ଡିଗୋ ବିମାନ ବାହାରି ଅପରାହ୍ନ ୧ ଟା ରେ ଝାରସୁଗୁଡା ପହଁଚିଛି । ଝାରସୁଗୁଡା ରୁ ପୁଣି ୨ ଟା ରୁ ବାହାରି ଅପରାହ୍ନ ୪ ଟା ୧୫ ରେ ମୁମ୍ବାଇରେ ବିମାନ ପହଂଚିଛି l ଶନିବାର ପ୍ରଥମ ଦିନରେ ୯୦ ଜଣ ଯାତ୍ରୀ ଝାରସୁଗୁଡା ଆସିଥିବାବେଳେ ୯୦ ଜଣ ଯାତ୍ରୀ ଝାରସୁଗୁଡାରୁ ମୁମ୍ବାଇ ଯାତ୍ରା କରିଛନ୍ତି । ସପ୍ତାହର ୭ ଦିନ ଦୁଇ ସହରକୁ ବିମାନ ଚଳାଚଳ କରିବ । ପ୍ରତିଦିନ ମୁମ୍ବାଇ ବିମାନବନ୍ଦରରୁ ପୂର୍ବାହ୍ନ ୧୦ଟା ୫୫ରେ ବିମାନ ଉଡ଼ାଣ ଭରିବ । ଝାରସୁଗୁଡ଼ାରେ ଅପରାହ୍ନ ୧ଟାରେ ପହଞ୍ଚିବ । ସେହିପରି ଝାରସୁଗୁଡ଼ାରୁ ଅପରାହ୍ନ ୨ଟାରେ ପ୍ରତ୍ୟାବର୍ତ୍ତନ କରି ଅପରାହ୍ନ ୪ଟା ୧୫ରେ ମୁମ୍ବାଇରେ ପହଞ୍ଚିବ । ଇଣ୍ଡିଗୋର ଏୟାର ବସ୍-୩୨୦ ବିମାନ ଏହି ରୁଟ୍ରେ ଚଳାଚଳ କରିବ । ୨୩୨ ଯାତ୍ରୀ ଏଥିରେ ଯାତ୍ରା କରିପାରିବେ ।
ସୂଚନାଯୋଗ୍ୟ ଝାରସୁଗୁଡାରୁ ରାଜଧାନୀ ଦିଲ୍ଲୀ, କୋଲକାତା, ବେଙ୍ଗାଲୁରୁକୁ ଇଣ୍ଡିଗୋର ବିମାନସେବା ଜାରି ରହିଛି। ସେହିପରି ଷ୍ଟାର ଏୟାର ପକ୍ଷରୁ ହାଇଦ୍ରାବାଦ, ରାୟପୁର ଏବଂ ଲକ୍ଷ୍ନୌକୁ ବିମାନସେବା ଆରମ୍ଭହୋଇଛି। ଏଲାୟନ୍ସ ଏୟାର ପକ୍ଷରୁ ଭୁବନେଶ୍ୱର- ଝାରସୁଗୁଡ଼ା ମଧ୍ୟରେ ବିମାନ ସେବା ସପ୍ତାହକୁ ତିନି ଦିନ ଜାରି ରହିଛି। ଝାରସୁଗୁଡ଼ା–ମୁମ୍ବାଇ ସେକ୍ଟରରେ ବିମାନ ଚଳାଚଳକୁ ନେଇ ଯାତ୍ରୀଙ୍କ ଉତ୍ସାହ ବୃଦ୍ଧି ପାଇଛି ।