ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୭/୦୨) : ଶୁକ୍ରବାରଠୁ କମିବ ରାତିର ତାପମାତ୍ରା । ପରବର୍ତ୍ତୀ ୩ ଦିନ ଯାଏ ପାରଦ ୨ରୁ ୪ ଡିଗ୍ରୀ କମିବାର ସମ୍ଭାବନା ରହିଛି । ଏଭଳି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର, ଭୁବନେଶ୍ବର ।
ରାଜ୍ୟରେ ଦୁଇଦିନ ପରେ ଦିନର ତାପମାତ୍ରା ମଧ୍ୟ ସାମାନ୍ୟ କମିବାର ସମ୍ଭାବନା ରହିଛି । ଅନ୍ୟପଟେ ଆସନ୍ତା ୮ ତାରିଖରୁ କୁହୁଡ଼ି ପ୍ରଭାବ କମିବ । ରାଜ୍ୟରେ ବର୍ତ୍ତମାନ ଦିନ ଓ ରାତି ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିଛି । ପ୍ରାୟତଃ ଦିନର ସର୍ବୋଚ୍ଚ ତାପମାତ୍ରା ୩୩ ଡିଗ୍ରୀ ସେଲସିୟସ୍ ଉପରେ ରହିଛି । ସେହିପରି ରାତି ତାପମାତ୍ରା ୨୨ରୁ ୨୫ ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚିଛି । ବର୍ତ୍ତମାନ ଗୁରୁଚାପ ବଳୟ ଦୁର୍ବଳ ହେବା ସହ ଉତ୍ତର-ପଶ୍ଚିମରୁ ପବନ ଆସିବ । ଏହା ଫଳରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ଅଧିକ ଖସିବ । ଉପକୂଳରେ ତାପମାତ୍ରା କମିଲେ ବି ଥଣ୍ଡା ବେଶି ବଢ଼ିନପାରେ ବୋଲି କହିଛି ପାଣିପାଗ ବିଭାଗ । ଏପଟେ ଭୁବନେଶ୍ୱର ସମେତ ଅନେକ ଅଞ୍ଚଳରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି । ଭୁବନେଶ୍ୱରରେ ୧୦୦ ମିଟର ଆଗକୁ କିଛି ଦିଶୁନଥିଲା ସକାଳେ ।
ଭାରତୀୟ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସଙ୍କ ସୂଚନା ଅନୁସାରେ ଲଗାତାର ୧୮ ଦିନ ଧରି ଓଡ଼ିଶାରେ କୁହୁଡ଼ି ପ୍ରଭାବ ଦେଖିବାକୁ ମିଳିଛି । ବିଗତ କିଛି ବର୍ଷ ଭିତରେ ଏଭଳି ଲମ୍ବା ଅବଧି ଧରି କେବେ କୁହୁଡ଼ି ନଥିଲା । ଗୁରୁଚାପ ବଳୟ ଯୋଗୁ ଉପକୂଳ ଓଡ଼ିଶାରେ ଏଭଳି ଘନ କୁହୁଡ଼ି ରହୁଛି ।ସେହିପରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଜି ପାଇଁ କେନ୍ଦୁଝର, ଗଞ୍ଜାମ, ଗଜପତି, ରାୟଗଡ଼ା, ନବରଙ୍ଗପୁର ଏବଂ କୋରାପୁଟ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ସମ୍ଭାବନା ରହିଥିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।