ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୀ, (୨୩/୦୮) : ଆଜି ପୁଣି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଜଉମୁଦ ଦେଇ ବନ୍ଦ କରାଯାଇଥିବା ରତ୍ନଭଣ୍ଡାରରୁ ଖାଲି ଆଲମିରା ଓ ସିନ୍ଦୁକ ସ୍ଥାନାନ୍ତର ହେବ ।
ଶ୍ରୀମନ୍ଦିର ରତ୍ନଭଣ୍ଡାରରୁ ନୀଳାଦ୍ରି ମ୍ୟୁଜିୟମ ନିକଟ ରୁମକୁ ସ୍ଥାନାନ୍ତର ହେବ ଖାଲି ସିନ୍ଦୁକ ଓ ଆଲମିରା । ଏଥିପାଇଁ ଏସଓପି ମୁତାବକ ଦିନ ଗୋଟାଏ ବେଳେ ରତ୍ନଭଣ୍ଡାର ଖୋଲିବା ପାଇଁ ସମୟ ଧାର୍ଯ୍ୟ ହୋଇଛି। ରତ୍ନଭଣ୍ଡାରରୁ ଖାଲି ଆଲମିରା ଓ ସିନ୍ଦୁକ ଜଗମୋହନରୁ ବେହରଣ ଦେଇ ପଶ୍ଚିମଦ୍ୱାର ନିକଟ ନୀଳାଦ୍ରି ମ୍ୟୁଜିୟମ ନିକଟ ଏକ ରୁମକୁ ସ୍ଥାନାନ୍ତର କରାଯିବ । ଏଥିପାଇଁ ଦିନ ଗୋଟାଏରୁ ସ୍ଥାନାନ୍ତର ସରିବା ଯାଏ ବନ୍ଦ ରହିବ ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ। ତେବେ ଆନନ୍ଦ ବଜାରରୁ ଭକ୍ତମାନେ ମହାପ୍ରସାଦ କିଣିପାରିବେ ।
ସ୍ଥାନାନ୍ତରଣ ସରିବା ପରେ ଦର୍ଶନ ଆରମ୍ଭ ହେବ ବୋଲି କହିଛନ୍ତି ଶ୍ରୀମନ୍ଦିର ଉପ ମୁଖ୍ୟ ପ୍ରଶାସକ । ସୂଚନା ଅନୁସାରେ, ଶ୍ରୀମନ୍ଦିର ଭିତର ଓ ବାହାର ରତ୍ନଭଣ୍ଡାରରେ ୩ଟି କାଠ ଆଲମିରା, ଗୋଟିଏ ଷ୍ଟିଲ ଆଲମିରା, ୨ଟି କାଠ ସିନ୍ଦୁକ ଓ ଗୋଟିଏ ଲୁହା ସିନ୍ଦୁକ ରହିଛି । ଏଥିରେ ଥିବା ସମସ୍ତଅଳଙ୍କାର ଖଟ ସେଜଘର ଓ ଚାଙ୍ଗଡା ଘର ନିକଟ ଷ୍ଟ୍ରଙ୍ଗରୁମରେ ରଖାଯାଇଛି ।