ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୨/୮) : ଆଜି ଶ୍ରାବଣ ମାସର ଚତୁର୍ଥ ସୋମବାର । ରାଜ୍ୟର ବିଭିନ୍ନ ଶୈବପୀଠ ମାନଙ୍କରେ ଜଳ ଲାଗି କରୁଛନ୍ତି କାଉଡିଆ ।
ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁ ମାନେ ପ୍ରବଳ ଭିଡ଼ ଜମାଇଛନ୍ତି । ପ୍ରଭୁ ଲିଙ୍ଗରାଜ, ବାବା ଧବଳେଶ୍ୱର, ବାବା ଆଖଣ୍ଡଳମଣି ଓ ପୁରୀର ବାବା ଲୋକନାଥ ପୀଠ ସବୁଠି ହଜାର ହଜାର କାଉଡ଼ିଆଙ୍କ ସମାଗମ ହୋଇଛି । ନିଜ ନିଜର ମନୋସ୍କାମନା ପୂରଣ ଲାଗି ଦେବଦେବ ମହାଦେବଙ୍କୁ ଜଳାଭିଷେକ କରୁଛନ୍ତି କାଉଡ଼ିଆ । ବୋଲ୍ ବମ୍ ନାରାରେ କମ୍ପୁଛି ମନ୍ଦିର ପରିସର । ପବିତ୍ର ଶ୍ରାବଣ ମାସର ଚତୁର୍ଥ ସୋମବାରରେ ଆଠଗଡ଼ ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠରେ ରାତ୍ର ୨ଟାରେ ମନ୍ଦିରର ଦ୍ଵାର ଫିଟାଯାଇ ସମସ୍ତ ରୀତିନୀତି ସମାପନ କରାଯାଇଛି। ସକାଳୁ ସକାଳୁ ସର୍ବସାଧାରଣଙ୍କ ଦର୍ଶନ ସହିତ କାଉଡ଼ିଆ ମାନେ ଜଳଲାଗି କରିଛନ୍ତି । ବଡ଼ସିଂହାର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର।
ସେହିପରି ସୁନ୍ଦରଗଡ଼ ଜିଲ୍ଲା ବଣାଇ ବାନେଶ୍ୱର ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗିଛି । ରାତି ଦୁଇଟାରେ ମନ୍ଦିର ଖୋଲିବା ପରେ ଲମ୍ବା ଲାଇନରେ ଆସି ପାଣି ଢାଳିଛନ୍ତି କାଉଡିଆ । ପୁଲିସ, ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ନୟାଗଡ଼ ଜିଲ୍ଲା ଶରଣକୂଳ ସ୍ଥିତ ଲଡ଼ୁବାବାଙ୍କ ପୀଠରେ ବୋଲବମ୍ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ମନ୍ଦିର ପ୍ରଶାସନ ପକ୍ଷରୁ ଜଳ ଲାଗି କରିବାକୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।