କଳାହାଣ୍ଡି, (୧୩/୦୫) : ଆପ୍ର. : ଆଦିବାସୀ ଲୋକଙ୍କ ପାଇଁ ନାଳ ପାଣି ସାଜିଛି ସାହାରା । ନାଳ ପାଣି ପିଇ ଶୋଷ ମେଣ୍ଟାଉଛନ୍ତି ।
କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ଥୁଆମୂଳ ରାମପୁର ବ୍ଲକର ପୋଡାପଦର ଗାଁ । ଏହି ଗାଁରେ ପାନୀୟ ଜଳ ସଙ୍କଟ ଦେଖାଯାଇଥିବା ବେଳେ କୌଣସି ବିକଳ୍ପ ବ୍ୟବସ୍ଥା ନଥିବାରୁ ଗ୍ରାମବାସୀ ବର୍ଷ ତମାମ ନାଳ ପାଣିକୁ ପାନୀୟ ଜଳ ରୂପେ ବ୍ୟବହାର କରୁଛନ୍ତି । ଲୋକଙ୍କ ମୌଳିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର ସହର ଠୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁ ଇଲାକାରେ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥାମାନ କରାଇ ଆସୁଥିବା ବେଳେ ଦୁର୍ଗମ ଅଞ୍ଚଳମାନଙ୍କରେ ଏହି ସୁବିଧା ସତେ ଯେମିତି ସାତ ସପନ ପାଲଟିଛି ।
ଏହି ଗାଁରେ ମୋଟ ୨୦ଟି ଆଦିବାସୀ ପରିବାର ବସବାସ କରନ୍ତି । ଏଠାରେ ଗୋଟିଏ ନଳକୂପ ଖୋଳା ଯାଇଥିଲା ହେଲେ ଏହି ନଳକୂପ କେଉଁ ବର୍ଷରୁ ଅଚଳ ହୋଇ ପଡ଼ିଛି କହି ହେବନି । ଖରା ବର୍ଷା ଶୀତ ସବୁ ସମୟରେ ନାଳ ପାଣିକୁ ହିଁ ଏମାନେ ପାନୀୟ ଜଳ ରୂପେ ବ୍ୟବହାର କରି ଆସୁଛନ୍ତି । ଏହି ନାଳ ପାଣିକୁ ଗୃହ ପାଳିତ ପଶୁଙ୍କ ଠାରୁ ଆରମ୍ଭ କରି ଜଙ୍ଗଲୀ ଜନ୍ତୁ ପିଉଛନ୍ତି । ଏହି ଦୂଷିତ ଜଳ ସେବନ କରି ଲୋକେ ରୋଗାଗ୍ରସ୍ତ ହେଉଥିବା ପ୍ରକାଶ କରିଛନ୍ତି ଗାଁ ଲୋକେ ।
ଏହି ଗାଁରେ ମେଗା ପାନୀୟଜଳ ପ୍ରକଳ୍ପ ପକ୍ଷରୁ ସମସ୍ତଙ୍କ ଘରେ ପାଇପ ଲାଇନ ସଂଯୋଗ କରାଯାଇଛି ସତ ହେଲେ ଦୀର୍ଘ ଦିନ ହେଲା ପ୍ରଶାସନର ଉଦାସୀନତା ଯୋଗୁଁ ଏହା କାର୍ଯ୍ୟକାରୀ ହୋଇପାରିନାହିଁ । ଦୁର୍ଗମ ଅଞ୍ଚଳ ବୋଲି ପୋଡାପଦରକୁ ସବୁବେଳେ ଅଣଦେଖା କରାଯାଉଛି ବୋଲି କହନ୍ତି ଗ୍ରାମବାସୀ । ଜଳ ସଙ୍କଟକୁ ନେଇ ଗ୍ରାମବାସୀ ପ୍ରଶାସନ ଆଗରେ ବାରମ୍ବାର ଅଭିଯୋଗ କରିଥିଲେ ବି ଫଳ ଶୂନ । ତେଣୁ ଭାଗ୍ୟକୁ ଆଦରି କୋଣସି ବିକଳ୍ପ ନଥିବାରୁ ନାଳ ପାଣିକୁ ହିଁ ବ୍ୟବହାର କରୁଛନ୍ତି । ଏମାନଙ୍କ ଜଳ କଷ୍ଟ କେବେ ଦୂର ହେବ ତାକୁ ହିଁ ଅପେକ୍ଷା ।