ଗୁଣପୁର, (୧୮/୩) : ଆଜି ଆଦିବାସୀ ସଂଘର୍ଷ ମୋର୍ଚ୍ଚା (ASM) ତରଫରୁ ଏକ ତଦନ୍ତ କମିଟି ଗୁଣପୁର ବ୍ଲକ ଅନ୍ତର୍ଗତ ଗୋଠଳପଦର ପଞ୍ଚାୟତର କୁକୁରୁଗୁଡା ଗାଁ’ରେ ଆଦିବାସୀ ମାନେ ପୂର୍ବ ପୁରୁଷରୁ ଚାଷ କରୁଥିବା ଜଙ୍ଗଲ ଜମିରେ ଥିବା କାଜୁ ବାଡକୁ ତଦନ୍ତ କରିବାକୁ ଯାଇଥିଲେ ।
ଉକ୍ତ ଜମିରେ ପୂର୍ଵ ପୁରୁଷରୁ ଆଦିବାସୀ ମାନେ କାଜୁ ଲଗାଇ ଫସଲ ଅମଳ କରି ପରିବାର ପ୍ରତିପୋଷଣ କରୁଛନ୍ତି । ଗତ କାଲି ୧୭ ତାରିଖ ଦିନ ଆନ୍ଧ୍ର ପ୍ରଦେଶ ର ଜମି ମାଫିଆ ମାନେ ଆସି ପ୍ରାୟ ୨୦ ରୁ ଉର୍ଦ୍ଧ୍ବ ଫଳନ୍ତି କାଜୁ ଗଛକୁ ଜେସିବି ମାଧ୍ୟମରେ ସମ୍ପୂର୍ଣ୍ଣ ନଷ୍ଟ କରିଛନ୍ତି । ଓଡିଶା ମାଟିରେ ଆନ୍ଧ୍ରପ୍ରଦେଶ ଜମିଦାର ମାନେ ଆଦିବାସୀ ମାନଙ୍କ ଜୀବନ ଜିବିକା ଉପରେ ଆକ୍ରମଣ କୁ ଆଦିବାସୀ ସଂଘର୍ଷ ମୋର୍ଚ୍ଚା (ASM) ର କେଦ୍ରୀୟ ନେତା ତ୍ରିପତି ଗମାଙ୍ଗ ଓ ରାଇନା ଶବର ତିବ୍ର ସମାଲୋଚନା କରିଛନ୍ତି ।
ଗୁଣପୁର ବ୍ଲକ ଅନ୍ତର୍ଗତ ଗୋଠଲପଦର ପଞ୍ଚାୟତ ର କୁକୁରୁଗୁଡା ଗ୍ରାମଟି ଆନ୍ଧ୍ର ଓଡ଼ିଶା ସିମାନ୍ତରେ ରହିଛି । ଆଦିବାସୀ ମାନଙ୍କ ନାମରେ କୌଣସି ଜମି ନାହିଁ କି ଘର ଡିହ ପଟା ମଧ୍ୟ ନାହିଁ । ଆଦିବାସୀ ମାନଙ୍କ ଭୋକ ମେଣ୍ଟେଇବାକୁ ଏହି ଜଙ୍ଗଲ ଜମି ଏକ ମାତ୍ର ଭରସା । ଜଙ୍ଗଲ କୁ ସଫା କରି ଧାନ, ମାଣ୍ଡିଆ ,କାନ୍ଦୁଲ , କପା, କାଜୁ ଗଛ ଲଗାଇ ଯାହା ଆଦାୟ ହେଉଛି ସେଥିରୁ ପରିବାର ପ୍ରତିପୋଷଣ କରୁଛନ୍ତି l କୁକୁରୁଗୁଡା ଗାଁ ରେ ଆଦିବାସୀ ମାନଙ୍କ ପାଇଁ ଶିକ୍ଷା ଏବେ ସାତସପନ ପାଲଟିଛି ।
ଆଦିବାସୀ ମାନଙ୍କୁ ଯେଉଁ ସାମ୍ବିଧାନିକ ଅଧିକାର ମିଳିବା କଥା ତାହା ମିଳିପାରୁନି । ଆନ୍ଧ୍ର ପ୍ରଦେଶ ର ଜଣେ ଅଣ ଆଦିବାସୀ ଲୋକ କୁକୁରୁଗୁଡା ଗାଁ ର ପ୍ରାୟ ୬୦ ଏକରରୁ ଉର୍ଦ୍ଧ ଜମି ସରକାର କଳକୁ ହାତଗୁଞ୍ଜା ଦେଇ ବେଆଇନ ଭାବେ କାଗଜ ପତ୍ର କରି ଆଦିବାସୀ ଙ୍କ ଉପରେ ଦୈରାତ୍ମ୍ୟ ଆରମ୍ଭ କରିଛି । ଉକ୍ତ ଜମି ଆଦିବାସୀ ମାନଙ୍କ ଭୋଗ ଦଖଲରେ ଦୀର୍ଘ ୮୦ ବର୍ଷ ହେଲା ରହିଛି ।
ଓଡିଶା ରେ ଆଦିବାସୀ ମୁଖ୍ୟମନ୍ତ୍ରୀ ଆଦିବାସୀ ମାନଙ୍କ ଭୋଗ ଦଖଲ ରେ ରହିଥିବା ଜମିକୁ ବିକ୍ରି କରିବା ବନ୍ଦ କରି ରେଜିଷ୍ଟ୍ରେସନ୍ ବାତିଲ କରିବା ପାଇଁ ଦାବି କରିବା ସହ ଆଦିବାସୀ ମାନଙ୍କ ମଧ୍ୟରେ ପଟା ପ୍ରଦାନ କରିବାକୁ ଦାବି ହେଉଛି । ଏହି ସମସ୍ୟାର ସମାଧାନ ନହେଲେ ବଡ଼ ଧରଣର ଆଦିବାସୀ ଆନ୍ଦୋଳନ କରିବା ପାଇଁ ତଦନ୍ତକାରି କମିଟି ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆଜିର ଏହି ବୈଠକକୁ ତ୍ରିପତି ଗମାଙ୍ଗ ପରିଚାଳନା କରିଥିବା ବେଳେ ରାଇନା ଶବର , ନିରଞ୍ଜନ ନିମାଲା , ଜଗଦୀଶ ବିଡିକା, ମୋଜେସ ବିଡିକା, ସମ୍ବରା ବିଡିକା,ଲଣ୍ଡା ବିଡିକା, ସଲୋମି ନିମାଲା, ଅଶ୍ଵିନି ବିଡିକା, ରାଧା ବିଡିକା, କୁମାରୀ ବିଡିକା, ଲେଗିଂଡି ବିଡିକା ପ୍ରମୁଖ ସହଯୋଗ କରିଥିଲେ ।