ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର,ତା(୦୭/୧୦) : ବିଜ୍ଞାନର ଖେଳ ଯେ ତାଙ୍କ ପାଇଁ ଏକ ଉଦ୍ଭାବକର ସଜ୍ଞା ଯୋଡିଦେବ ତାହା ବିଶ୍ୱାସ କରି ନହେଉଥିଲେ ବି ସତ । ଅତି ସହଜ ଉପାୟରେ ଇଲେକ୍ଟ୍ରିକାଲ ବକ୍ସ ରେ କୁକୁଡ଼ା ଅଣ୍ଡାରୁ ଚିଆଁ ବା କୁକୁଡ଼ା ଛୁଆ ବାହାର କରିଛନ୍ତି ଜଣେ ଷଷ୍ଠ ଶ୍ରେଣୀର କୁନି ବୈଜ୍ଞାନିକ ଅଭିରୂପ ନନ୍ଦ । ତାଙ୍କର ଉପସ୍ଥିତ ବୁଦ୍ଧି ଆଜି ତାଙ୍କୁ ଏକ କୁନି ବୈଜ୍ଞାନିକ ଭାବେ ସଜେଇ ଦେଇଛି । 
ସୃଜନଶୀଲତା ହେଉଛି ଏକ ପ୍ରଖର ନଦୀ । ଯାହା କୌଣସି ବାଧା ବିଘ୍ନକୁ ଖାତିର ନକରି ନିଜ ଲକ୍ଷ୍ୟସ୍ଥଳକୁ ମାଡି ଚାଲିଥାଏ । ଐଶ୍ୱରୀୟ ପ୍ରତିଭା ଓ ନିଜର ଅଧ୍ୟାବସାୟ ବଳରେ କିଛି ଚମତ୍କାରିତା ଦେଖାଇ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ବଲାଙ୍ଗୀର ଆଦର୍ଶପଡା ର ଷଷ୍ଠ ଶ୍ରେଣୀର ପାଠ ପଢୁଥିବା ଜଣେ ଛାତ୍ର ଅଭିରୂପ ନନ୍ଦ । ଏହି କୋମଳ ବୟସରେ ସେ କେବଳ କ୍ଲାସରୁମ୍ ଭିତରେ ନିଜକୁ ସୀମିତ ରଖି ନାହାଁନ୍ତି । ନିଜର ବୁଦ୍ଧି ପ୍ରୟୋଗ ନିଜ ଘର ଭିତରେ ତିଆରି କରିଛନ୍ତି ଇଲେକ୍ଟ୍ରିକାଲ ବକ୍ସ ରେ ଏକ ଏଗ୍ ଇନ୍କ୍ୟୁଭେଟର୍ ଯନ୍ତ୍ର (ଲାଇଟ୍ ମାଧ୍ୟମରେ କୃତ୍ରିମ ଉପାୟରେ ଅଣ୍ଡା ରୁ ଛୁଆ ଫୁଟାଇବା ଯନ୍ତ୍ର) ।
ପ୍ରଥମେ ଏଥିପାଇଁ ଆବଶ୍ୟକ ପଡୁଥିବା ବିଭିନ୍ନ ଯନ୍ତ୍ରାଂଶ ସଂଗ୍ରହ କରି ତିଆରି କରିଥିଲେ ଏଗ୍ ଇନ୍କ୍ୟୁଭେଟର୍ ଯନ୍ତ୍ରର ଏକ ପୂର୍ଣ୍ଣାଙ୍ଗ ମଡେଲ । ଏକ ବଡ ସୋଲ ଡବା, କଂପ୍ୟୁଟର ସିପିୟୁରେ ବ୍ୟବହୃତ ଫେନ୍, ୧ଠଠ ୱାଟ୍ ର ଏକ ବଲବ୍, ଟେମ୍ପରେଚର କଂଟ୍ରୋଲର ମେସିନ, (ଆବଶ୍ୟକ ତାପମାତ୍ରା ୩୭.୭ ଡିଗ୍ରୀ ସେଲସିଅସ୍ କୁ ବାଲାନ୍ସ କରିବା ପାଇଁ ) ଗୋଟିଏ ପାଣିପାତ୍ର (ହ୍ୟୁମିଡିଟି ବାଲାନ୍ସ ପାଇଁ),୧୨ ଭୋଲଟ୍ ର ଆଡପ୍ଟର ଓ ଗୋଟିଏ ଏଲ୍ଇଡି ଲାଇଟ୍ ସାହାଯ୍ୟନେଇ ଅଭିରୂପ ତିଆରି କରିଥିଲେ ଏକ ଏପରି ଯନ୍ତ୍ର ଯେଉଁଠି ପ୍ରଥମେ କିଛି ଦେଶୀ ଅଣ୍ଡା ରଖି ସେଥିରୁ ୧୮ ରୁ ୨୧ଦିନ ଭିତରେ କୁକୁଡ଼ା ଚିଆଁ ବା ଛୁଆ ସୃଷ୍ଟି କରିବା ରେ ସଫଳ ହୋଇଥିଲେ ।
ଏହି ଯନ୍ତ୍ରାଂଶ ଗୁଡିକୁ ସେ ବିଭିନ୍ନ ଜାଗାରୁ ସଂଗ୍ରହ କରି ମେସିନ ତିଆରି କରିଥିଲେ କେଇମାସ ଭିତରେ ସେ ଏହି ଏଗ୍ ଇନ୍କ୍ୟୁଭେଟର୍ ଯନ୍ତ୍ର ମାଧ୍ୟମରେ ପ୍ରାୟ ଅନେକ କୁକୁଡ଼ା ଚିଆଁ ବାହାର କରିସାରିଲେଣି । ସବୁଠାରୁ ଆଶ୍ଚର୍ଯ୍ୟ ର ବିଷୟ ହେଲା ଏହି ଡିଭାଇସ୍ ତିଆରି କରିବା ପାଇଁ ଦରକାର ପଡିଥିବା ଅର୍ଥ ସେ ବାପା ମାଁ ଙ୍କ ଠାରୁ ମାଗି ନାହାନ୍ତି । ଏହି ଇନକ୍ୟୁଭେଟର ରୁ ପ୍ରସ୍ତୁତ ହୋଇଥିବା କୁକୁଡା ଚିଆଁକୁ ବିକ୍ରି କରି ସେହି ଟଙ୍କାରେ କିଣିଥିବା କହିଛନ୍ତି ଅଭିରୂପ ।
ବଲାଙ୍ଗୀର ସହରସ୍ଥ ଆଦର୍ଶ ପଡାରେ ବସବାସ କରୁଥିବା ଅଭିରୂପ ଙ୍କ ବାପା ରମେଶ ଚନ୍ଦ୍ର ନନ୍ଦ ପରାମର୍ଶଦାତା ଥିବା ବେଳେ ମାଁ ନମ୍ରତା ନନ୍ଦ ଏକ ଗୃହିଣୀ ଅଟନ୍ତି । ବାପା ମା’ ଓ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ଓ ପ୍ରିନ୍ସିପାଲ ପର୍ଯ୍ୟନ୍ତ ତାଙ୍କୁ ଏହି କାମରେ ଅନେକ ଉତ୍ସାହିତ କରିଛନ୍ତି । ଆଗକୁ ସେ ଗୋଟିଏ ବୈଜ୍ଞାନିକ ହେବା ଲକ୍ଷ୍ୟ ରଖିଛନ୍ତି | ସରକାରଙ୍କ ପକ୍ଷରୁ ଏହି କୁନି ବୈଜ୍ଞାନିକଙ୍କୁ ପ୍ରୋତ୍ସାହନ ମିଳିଲେ ସେ ଅନେକ କିଛି କରି ଦେଖାଇ ପାରିବେ ବୋଲି କହିଛନ୍ତି ।
କେବଳ ବୈଜ୍ଞାନିକ ଯନ୍ତ୍ରପାତି ତିଆରି ନୁହେଁ ପେନସିଲ୍ ଆର୍ଟରେ ମଧ୍ୟ ବେସ୍ ଓସ୍ତାଦ ଅଟନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଫିଲ୍ମ ଅଭିନେତାଙ୍କ ଅବିକଳ ପେନସିଲ୍ ଆର୍ଟ ତିଆରି କରି ନିଜର ସୃଜନଶୀଲତାର ପରିଚୟ ଦେଇଛନ୍ତି ଏହି ଶିଶୁ ବୈଜ୍ଞାନିକ ଅଭିରୂପ ।