ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୯/୧୨) : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଗୋରଖପୁର ପଞ୍ଚାୟତସ୍ଥିତ ଚତୁର୍ଥ ଶ୍ରେଣୀରେ ଅଧ୍ୟୟନରତ ଏକ କୁନି ଛାତ୍ରର ଦାରୁଣ ଦୃଶ୍ୟ ବର୍ତମାନ ଗ୍ରାମବାସୀଙ୍କୁ ବିଚଳିତ କରି ଦେଉଛି ।
ଉନ୍ନତ ମାନର ଚିକିତ୍ସା ଅପେକ୍ଷାରେ ନଅ ବର୍ଷର କୁନି ଛାତ୍ର ରିତେଶ । ରିତେଶ ଗଉଡ଼ ନାମକ ୯ବର୍ଷୀୟ ବାଳକ ଙ୍କ ଚିକିତ୍ସା ନିମନ୍ତେ ବାଧକ ସାଜିଛି ଅର୍ଥ । କୌଣସି ଏକ ଅଜଣା ରୋଗରେ ପୀଡିତ ହୋଇ ଦୀର୍ଘ ଛଅ ମାସ ହେବ କଲବଲ ହେଉଛନ୍ତି ରିତେଶ । ରିତେଶ ଗୋରଖପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କରେ । ପ୍ରଥମେ ପିଲାର ଅବସ୍ଥା କୁ ଦେଖି ବିଦ୍ୟାଳୟର କିଛି ଶିକ୍ଷକ ମାନେ ଟିକିରି ସ୍ଥିତ ନୂଆପଡା ଚିକିତ୍ସା କେନ୍ଦ୍ରରେ ଚିକିତ୍ସା କରିଥିଲେ । ପରେ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ। ପୂଣି ଜିଲ୍ଲା ଚିକିତ୍ସାଳୟର ନିର୍ଦେଶ କ୍ରମେ କୋରାପୁଟ ସ୍ଥାନାନ୍ତର କରାଗଲା ।
କିନ୍ତୁ, କୌଣସି ସଫଳ ଚିକିତ୍ସା ହୋଇ ପାରିଲା ନାହିଁ। ଏହାପରେ ରିତେଶଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା ବୋଲି ପରିବାର ପକ୍ଷରୁ ସୁଚନା ମିଳିଛି । ବର୍ତମାନ ପରିବାର ପକ୍ଷେ ଅର୍ଥ ବାଧକ ସାଜିଥିବା ବେଳେ, ଚିକିତ୍ସା ପାଇଁ ସହାୟତାର ନିବେଦନ କରିଛନ୍ତି ପୀଡିତଙ୍କ ପିତା ମାତା। ହାଟ ବଜାର ବୁଲି ବ୍ୟବସାୟୀ ମାନଙ୍କ ମାଲ ବଝେଇ କରି ଯାହା ରୋଜଗାର କରନ୍ତି ସେଥିରେ ଘର ଚାଲେ। ରିତେଶଙ୍କ ମାଆ ମଧ୍ୟ ସାହି ପଡିଶା ଘରେ ଦୁଇ ଅଳି କାମ କରି ରିତେଶ ଙ୍କ ବାପା ଏଵଂ ମାଆ ଚାରି ପିଲାଙ୍କ ଭରଣପୋଷଣ କରିଥାନ୍ତି ।
ଏହିଭଳି ଆର୍ଥିକ ପରିସ୍ଥିତି ଦୟନୀୟ ଅବସ୍ଥାରେ ଗୁଜୁରାଣ ମେଣ୍ଟାଉଥିବା ସ୍ଥଳେ, କେମିତି ରୁଗ୍ନ ପିଲାର ଚିକିତ୍ସା ପାଇଁ ଅର୍ଥ ଯୋଗାଡ଼ କରିବେ ସେଥିପାଇଁ ପରିବାର ଏକ ପ୍ରକାର ଭାଙ୍ଗିପଡ଼ିଛି । ଏଥିପାଇଁ ରିତେଶ ଙ୍କ ବାପା ନିଜ ନିଜର ଆତ୍ମୀୟ ସ୍ୱଜ୍ଜନ ଏବଂ ଯେଉଁ ମାନଙ୍କ ଦ୍ଵାରା କିଛି ଅର୍ଥ ସହାୟତା ମିଳି ପାରିବ ସେମାନଙ୍କୁ ନିବେଦନ କରୁଛନ୍ତି। ରାୟଗଡା ଜିଲ୍ଲା ପ୍ରଶାସନ ଦ୍ୱାରା ଯଦି ଏହି କୁନି ଛାତ୍ର ରିତେଶ ସ୍ୱାସ୍ଥ୍ୟାବସ୍ଥା ସୁଧାର ଆଣିବା ପାଇଁ କିଛି ବ୍ୟବସ୍ଥା ହୋଇ ପାରିଲେ ଆମେ ସମସ୍ତଙ୍କ ପାଖରେ ଚିର ରୁଣି ରହିବୁ ବୋଲି ଅଶ୍ରୁଭରା ନୟନରେ ରିତେଶ ଙ୍କ ବାପା ଏବଂ ମାଆ ଅନୁରୋଧ କରିଛନ୍ତି ।