ଭୁବନେଶ୍ୱର, (୦୯/୦୪) : ଆପ୍ର. : ଏଣିକି ଔଷଧ ଦୋକାନରେ ଦେଇ ହେବନି ଇଞ୍ଜେକ୍ସନ । ଔଷଧ ଦୋକାନୀଙ୍କୁ ଏହି ଅଭ୍ୟାସ ବନ୍ଦ କରିବାକୁ କୁହାଯାଇଛି ।
ଔଷଧ ଦୋକାନରେ ରୋଗୀଙ୍କୁ ଇଞ୍ଜେକ୍ସନ ଫୋଡ଼ିବା ମନା, ଧରାପଡ଼ିଲେ ଦୋକାନୀଙ୍କ ଉପରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ଏହି ମର୍ମରେ ସବୁ ସିଡିଏମ୍ଓଙ୍କୁ ଚିଠି ଲେଖିଛି ସ୍ବାସ୍ଥ୍ୟସେବା ନିର୍ଦ୍ଦେଶାଳୟ । ତେବେ କାହିଁକି ଏଭଳି ନିଷ୍ପତ୍ତି ନେଇଛି ସ୍ବାସ୍ଥ୍ୟ ବିଭାଗ ? ଚିଠିରେ କୁହାଯାଇଛି, ଅଣତାଲିମପ୍ରାପ୍ତ ଓ ନନ୍ ପ୍ରାକ୍ଟିସନରମାନେ ରୋଗୀଙ୍କୁ ଇଞ୍ଜେକ୍ସନ ଫୋଡ଼ୁଥିବା ନେଇ ବିଭିନ୍ନ ଅଞ୍ଚଳରୁ ଅଭିଯୋଗ ଆସୁଛି । ଏହି କାରଣରୁ କିଛି ମାମଲାରେ ରୋଗୀଙ୍କଠାରେ ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିଥିବା ବେଳେ କିଛି ସ୍ଥାନରେ ରୋଗୀର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।
ଏଭଳି ସ୍ଥିତି ରୋକିବାକୁ ନିୟମିତ ସମୟ ବ୍ୟବଧାନରେ ଘରୋଇ ମେଡିସିନ୍ ଷ୍ଟୋରଗୁଡ଼ିକର ଲାଇସେନ୍ସ ଅପ୍-ଟୁ-ଡେଟ୍ ଅଛି କି ନାହିଁ, ତାହା ଯାଞ୍ଚ ପାଇଁ ସବୁ ସିଡିଏମ୍ଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସତ୍ତ୍ୱେ ଯଦି ଆଗକୁ ଏ ନେଇ କୌଣସି ଅଭିଯୋଗ ଆସେ, ତାହେଲେ ରାଜ୍ୟ ଭେଷଜ ନିର୍ଦ୍ଦେଶାଳୟ ପକ୍ଷରୁ ଏହି ଔଷଧ ଦୋକାନଗୁଡିକରେ ଯାଞ୍ଚ କରାଯିବା ସହ ଏହାର ରିପୋର୍ଟ ସ୍ବାସ୍ଥ୍ୟ ବିଭାଗକୁ ପଠାଇବାକୁ କୁହାଯାଇଛି ।