ପୁରୀ, (୦୪/୦୭) : ଆପ୍ର. : ରାସ୍ତା ଉପରେ ଧାଡ଼ି ଧାଡ଼ି ହୋଇ ଶୋଇଛନ୍ତି ଲୋକେ । ସେପଟେ ବସ୍ ବି ଲାଗିଛି । ଏ ସ୍ଥାନ ଦେଖି ମନରେ କେତେ କଣ ପ୍ରଶ୍ନ ଉଠୁଛି ।
ଏମାନେ ଏମିତି ତଳେ କାହିଁକି ଶୋଇଛନ୍ତି ? କଣ ଏମାନଙ୍କୁ ରହିବା ପାଇଁ ହୋଟେଲ କି ଲଜିଂ ମିଳିଲାନି କି ? ତେବେ ଏ ସ୍ଥାନ ହେଉଛି ପୁରୀ ଘରୋଇ ବସଷ୍ଟାଣ୍ଡ । ନିରାଶ୍ରୟଙ୍କ ଆଶ୍ରୟ ପାଲଟିଛି ଏହି ବସଷ୍ଟାଣ୍ଡ । ହୋଟେଲ ,ଲଜିଂ, ଧର୍ମଶାଳାରେ ରହିପାରୁନଥିବା ଶ୍ରଦ୍ଧାଳୁ ଘରୋଇ ବସଷ୍ଟାଣ୍ଡ ପରିସରରେ ରାତିରେ ଶୋଇଛନ୍ତି । ଆଉ ଗୁଣ୍ଡିଚା ମନ୍ଦିର ପାଖରେ ବସଷ୍ଟାଣ୍ଡ ଥିବାରୁ ସକାଳୁ ସକାଳୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଏହା ପାଖ ଓ ଉପଯୁକ୍ତ ସ୍ଥାନ ଭାବି ଆଶ୍ରୟ ନେଉଛନ୍ତି ଭକ୍ତ ।
କାଳିଆକୁ ଟିକେ ଦେଖିବେ ବୋଲି ଏ ଲୋକମାନେ ଯେ କେତେ ଦୂରରୁ ଆସିଛନ୍ତି କହିହେବନି । ଲଜ୍ ଓ ହୋଟେଲରେ ରହିବା ପାଇଁ ରୁମ୍ ମିଳୁନଥିବାରୁ ବାଧ୍ୟ ହୋଇ ରାତି ହେଲେ ଏହି ବସ୍ ଷ୍ଟାଣ୍ଡରେ ଶୋଇପଡ଼ୁଛନ୍ତି । ରଥଯାତ୍ରା ପାଇଁ ବଡ଼ଦାଣ୍ଡରେ ଲାଗିଛି ଭକ୍ତଙ୍କ ଗହଳି । ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ଲକ୍ଷ ଲକ୍ଷ ଭକ୍ତ ପୁରୀରେ ପହଞ୍ଚିଛନ୍ତି । କିନ୍ତୁ ରହିବା ପାଇଁ ସ୍ଥାନ ନପାଇ ଏଭଳି ରାସ୍ତା ଉପରେ ଶୋଇ ରହି ଶ୍ରୀଜିଉଙ୍କ ଦର୍ଶନ ପାଇଁ ଅପେକ୍ଷା କରି ରହିଛନ୍ତି । ଯାହା ବି ହେଉନା କାହିଁକି ଭକ୍ତମାନଙ୍କ ରହିବା ପାଇଁ ପ୍ରଶାସନ ତରଫରୁ କିଛି ବ୍ୟବସ୍ଥା କରାଯାଇଥିଲେ ହୁଏତ ଏମିତି ବସଷ୍ଟାଣ୍ଡକୁ ଆଶ୍ରୟସ୍ଥଳୀ କରିନଥାନ୍ତେ ଭକ୍ତ ।