ସୁବର୍ଣ୍ଣପୁର, (୨୫/୦୪) ଆ.ପ୍ର : କାଶ୍ମୀର ପହଲଗାମରେ ନିରସ୍ତ୍ର ହିନ୍ଦୁ ପର୍ଯ୍ୟଟକମାନଙ୍କ ଉପରେ ଯେଭଳି ଭାବରେ ବର୍ବରୋଚିତ ଆତଙ୍କୀ ଆକ୍ରମଣ ଓ ନିର୍ମମ ହତ୍ୟା ହେଲା ତାର ଏକ ଦୃଢ ପ୍ରତିବାଦ ସଭା ଆଜି ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା ।
ଉକ୍ତ ସଭା ପ୍ରାରମ୍ଭରେ ଶହୀଦ ହୋଇଥିବା ଅମର ଆତ୍ମାର ସଦଗତି ନିମନ୍ତେ ଦୀପ ପ୍ରଜ୍ବଳନ କରି ଦୁଇ ମିନିଟ ନିରବ ପ୍ରାର୍ଥନା କରି ଅଶ୍ରୁଳ ଶ୍ରଦ୍ଧାଂଜଳି ଅର୍ପଣ କରାଯାଇଥିଲା । ସୁବର୍ଣ୍ଣାର ସଭାନେତ୍ରୀ ପ୍ରାଧ୍ୟାପିକା ମୀନା ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଆତଙ୍କୀ ହତ୍ୟାକାରୀମାନଙ୍କୁ କଠୋର ଦଣ୍ଡ ଦେବାସହ ଭାରତ ଉପରେ ହେଉଥିବା ଆତଙ୍କବାଦର ମୂଳପୋଛ କରିବା ପାଇଁ ମତ ପ୍ରକାଶ ପାଇଥିଲା । ଏହି ଉପଲକ୍ଷେ ଏକ ସ୍ମାରକ ପତ୍ର କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଲିନା ପଧାନଙ୍କୁ ସଭ୍ୟାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରଦାନ କରିଥିଲେ ।
ଉପରୋକ୍ତ ଶ୍ରଦ୍ଧାଂଜଳି ସଭାରେ ସୁବର୍ଣ୍ଣାର ଉର୍ମିଳା ସାହୁ, ଇନ୍ଦୁମତୀ ପୁରୋହିତ, କଳ୍ପନା ମେହେର, ପୁଷ୍ପା ମେହେର, ଶ୍ରଦ୍ଧାଂଜଳି ମହାପାତ୍ର, ସୁରଭି ବିଶି, ମଂଜୁଳା ଝାଁକର, ଶ୍ରଦ୍ଧାଂଜଳି ମିଶ୍ର, ଘନକେଶୀ ମେହେର, କଲ୍ୟାଣୀ ମିଶ୍ର, ସଂଯୁକ୍ତା ହୋତା , ପଙ୍କଜିନୀ ସାହୁ, ଶ୍ବେତପଦ୍ମା ମେହେର, ସଂଗୀତା ଦିଶରୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଆତଙ୍କବାଦୀଙ୍କ ନିର୍ମମ ହତ୍ୟାର ଘୋର ନିନ୍ଦା କରି କଠୋର କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସରକାରଙ୍କ ଠାରେ ନିବେଦନ ଜଣାଇ ବକ୍ତବ୍ୟ ଦେଇଥିଲେ । କେନ୍ଦ୍ର ସରକାର ଏହି ଘଟଣା ଉପରେ ଗ୍ରହଣ କରୁଥିବା ପଦକ୍ଷେପକୁ ସେମାନେ ପ୍ରଶଂସା କରିଥିଲେ ।