ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୦୨/୦୬) : ଅବକାରୀ ବିଭାଗ ଓ ପୁଲିସ ଡାଳେ ଡାଳେ ଗଲେ ପତ୍ରେ ପତ୍ରେ ଯାଉଛନ୍ତି ନିଶାଦ୍ରବ୍ୟ ବେପାରୀ । ଛୁଆମାନଙ୍କ ଖେଳନା, କଣ୍ଢେଇ ଓ ଖେଳନା ଟିଫିନ୍ ବାକ୍ସରେ ଚାଲାଣ କରୁଥିଲେ ଗଞ୍ଜେଇ, ଯାହାର ମୂଲ୍ୟ ଏକ କୋଟି ଟଙ୍କାରୁ ଅଧିକ ହେବ ।
କୋଟିଏ ଟଙ୍କାର ଗଞ୍ଜେଇ ଜବତ, ଖେଳନା ଟିଫିନ ବାକ୍ସରେ ହେଉଥିଲା ଚାଲାଣ । ଅହମଦାବାଦ କ୍ରାଇମବ୍ରାଞ୍ଚ ପୁଲିସ, କଷ୍ଟମ ଓ ଅବକାରୀ ବିଭାଗ ମିଳିତ ଭାବେ ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି । ଏଥିସହ ଏହି ମାମଲାରେ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ସୂଚନା ଅନୁସାରେ, ଜବତ ହୋଇଥିବା ଗଞ୍ଜେଇ କାନାଡା, ଆମେରିକା ଏବଂ ଥାଇଲ୍ୟାଣ୍ଡରେ ଉତ୍ପାଦନ ହୋଇଥାଏ । ସବୁଠୁ ବଡ଼ କଥା ହେଉଛି କି, ଗଞ୍ଜେଇ ବିଦେଶ ଡାକ ମାଧ୍ୟମରେ ପଠା ଯାଇଥିଲା । ଅହମଦାବାଦର ବିଦେଶ ଡାକକୁ ଆସିଥିବା ପାର୍ସଲ ତଦନ୍ତ ସମୟରେ ମାମଲାର ପର୍ଦ୍ଦାଫାସ୍ ହୋଇଛି । ତଦନ୍ତ ପରେ ଖେଳନା ଟିଫିନ୍ ବାକ୍ସ ଓ କଣ୍ଢେଇରୁ ଗଞ୍ଜେଇ ମିଳିଥିଲା । ପାର୍ସଲ ଭିତରେ ହାଇବ୍ରିଡ୍ ଓ ସିନ୍ଥେଟିକ ଗଞ୍ଜେଇ ରହିଥିଲା ।