କାଶୀନଗର, (୧୮/୦୪) : ଆପ୍ର. : କାଶୀନଗର ସହର ଠାରୁ ଅନତି ଦୂରରେ ଥିବା ଗୋରିବନ୍ଧା ପଂଚାୟତ ଅନ୍ତର୍ଗତ ଖୁରିଗାଁ ଠାରେ ଗୌରୀ ନୀଳକଣ୍ଠେଶ୍ଵର ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ଶେଷ ହୋଇଛି ।
୧୬ ତାରିଖରୁ ୧୮ ତାରିଖ ଯାଏଁ ଏ ଉପଲକ୍ଷେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ହଜାର ହଜାର ଭକ୍ତ ଭାଗ ନେଇଥିଲେ , ପ୍ରକାଶ ଯୋଗ୍ୟ ଯେ, ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତ୍ତି ରାଓଙ୍କ ପିତା ପ୍ରଥମେ ଏକ ଛୋଟ ମନ୍ଦିର ନିର୍ମାଣ କରାଇଥିଲେ ଓ ତାହା କ୍ରମଶଃ ସୌନ୍ଦର୍ଯ୍ୟ ହରାଇ ନଷ୍ଟ ହେବାରେ ଲାଗିଥିଲା ।ଯାତାୟାତର ସୁବିଧା ନଥିବାରୁ ବହୁ ଲୋକ ସେଠାକୁ ଯାଇ ପାରୁନଥିଲେ । ଅଧ୍ୟକ୍ଷଙ୍କ ନିଷ୍ଠାପର ଉଦ୍ୟମ ଫଳରେ ବର୍ତ୍ତମାନ ଉକ୍ତ ଜାଗାରେ ଗୌରୀ ନୀଳକଣ୍ଠେଶ୍ୱରଙ୍କୁ ସମର୍ପିତ ଏକ ଭବ୍ୟ ମନ୍ଦିର ନିର୍ମିତ ହୋଇ ପାରିଛି ।
ଶୁକ୍ରବାର ଦିନ ଯଜ୍ଞରେ ପୂର୍ଣାହୂତି ଦିଆଯିବା ଅବସରରେ ମନ୍ଦିର ପରିଚାଳନା ଟ୍ରଷ୍ଟର ମୁଖ୍ୟ ତଥା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ତାଙ୍କ ଧର୍ମପତ୍ନୀ ନିର୍ମଳା କର୍ତ୍ତା ଆସନ ଅଳଙ୍କୃତ କରିଥିବା ବେଳେ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ, ହାଇଟେକ୍ ମେଡିକାଲ କଲେଜ ପରିଚାଳନା କମିଟି ସଭାପତି ତିରୁପତ୍ତି ପାଣିଗ୍ରାହୀ, ବି ଜେ ଡିର ଗଜପତି ଜିଲ୍ଲା ସଭାପତି ପ୍ରଦୀପ ନାୟକ, କାଶୀନଗର ପଂଚାୟତ ସମିତି ଅଧ୍ୟକ୍ଷା ବି. ସାୟାମ୍ମାଙ୍କ ସମେତ ସ୍ଥାନୀୟ ବହୁ ଜନପ୍ରତିନିଧି ଓ ଶ୍ରଦ୍ଧାଳୁ ଉପସ୍ଥିତ ରହି ପୂଜାର୍ଚ୍ଚନା କରିଥିଲେ ।
ଶତାଧିକ ଯୁବକଙ୍କ ଦ୍ୱାରା ୧୧ ଦିନ ଧରି ଚାଲିଥିବା ଓଁ ନମଃ ଶିବାୟ ଜପ କାର୍ଯ୍ୟକ୍ରମ ବି ଉଦଯାପିତ ହୋଇଥିଲା । ମନ୍ଦିରର ପୁନରୁଦ୍ଧାର ଓ ନବ ନିର୍ମାଣ ପାଇଁ ଯେଉଁମାନେ ମୁକ୍ତ ହସ୍ତରେ ଦାନ କରିଛନ୍ତି , ସେମାନଙ୍କୁ ଉଲ୍ଲେଖିତ ଟ୍ରଷ୍ଟ ପକ୍ଷରୁ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରାଯାଇଛି ।