ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୯/୮) : ଗଞ୍ଜେଇ ବେପାରୀଙ୍କ ଭୂସ୍ବର୍ଗ ପାଲଟିଛି ଗୁଣପୁର ଅଞ୍ଚଳ । ଗଞ୍ଜେଇ ଚାଲାଣ କରୁଥିବା ସମୟରେ ଗୁଣପୁର ଆଦର୍ଶ ଥାନା ପୋଲିସ୍ ଦୁଇ ଜଣଙ୍କୁ ଗିରଫ କରିଥିଲା ।
ଆଜି ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତ ମାନେ ହେଲେ ସୁଦୂର ବିହାର ଅଞ୍ଚଳର ମହେନ୍ଦ୍ର ଚୈ।ଧୁରୀ(୫୮) ଓ ଅଭିଷେକ କୁମାର (୨୩) । ସେମାନଙ୍କ ଠାରୁ ୭୬ କେଜି ଗଞ୍ଜେଇ, ନଗଦ ୨୦୦୦ ଟଙ୍କା ଓ ଗୋଟିଏ ସାମସଙ୍ଗ୍ ମୋବାଇଲ ଜବତ କରାଯାଇଥିବା ଗୁଣପୁର ଆଦର୍ଶ ଥାନା ଅଧିକାରୀ ଉତ୍ତମ କୁମାର ସାହୁ ସୂଚନା ଦେଇଛନ୍ତି । ପୋଲିସର ସୂଚନା ମୁତାବକ, ଟ୍ରେନରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବିଷୟରେ ବିଶ୍ଵସ୍ତ ସୁତ୍ରରୁ ଖବର ପାଈ ଏସ୍ ଆଇ ରଞ୍ଜିତ ତ୍ରିପାଠୀ ଓ ତାଙ୍କ ଟିମ୍ ରେଳଷ୍ଟେସନ ନିକଟରେ ଚଢାଉ କରିଥିଲେ ।
ଏହି ସମୟରେ ଦୁଇ ଅଭିଯୁକ୍ତ ଗଞ୍ଜେଇ ଭର୍ତ୍ତି ଦୁଇ ଜରି ବସ୍ତା ସହ ଧରା ପଡ଼ିଥିଲେ । ଉଭୟ ଅଭିଯୁକ୍ତ ଉକ୍ତ ଗଞ୍ଜେଇ ବିହାର ନେଉଥିଲେ ବୋଲି ପୋଲିସ୍ ନିକଟରେ ସ୍ବୀକାର କରିଛନ୍ତି । ଗୁଣପୁର ଅଞ୍ଚଳର ସମସ୍ତ ଲର୍ଜ ରେ ନିୟମିତ ଚଢ଼ାଉ ଓ ରାତ୍ରି ପେଟ୍ରୋଲିଙ୍ଗ କଡାକଡି କରାଗଲେ ଏହି ଗଞ୍ଜେଇ ଚୋରା ଚାଲାଣ ରୋକାଯାଇ ପାରିବ ବୋଲି ମତ୍ତ ପ୍ରକାଶ ପାଇଛି ।