ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସମ୍ବଲପୁର, (୦୩/୦୩) : ସମ୍ବଲପୁରର ଅଇଁଠାପାଲି ଥାନା ସିଂହପାଲି ଗ୍ରାମରେ ଘରୋଇ କଳହକୁ କେନ୍ଦ୍ର କରି ସ୍ଵାମୀ ସ୍ତ୍ରୀକୁ ପିଟି ହତ୍ୟା କରିଛି । ପୁଲିସ ଅଭିଯୁକ୍ତ ସ୍ଵାମୀ କୁନା ଓରାମ(୩୨)କୁ ଗିରଫ କରିଛି ।
ସୂଚନା ଅନୁସାରେ, ସୁନ୍ଦରଗଡ ଜିଲା ନିବାସୀ ରାଜେନ୍ଦ୍ର ତୀର୍କୀଙ୍କ ଝିଅ ସସ୍ମିତା(୨୭) ଗତ ବର୍ଷ ଅଇଁଠାପାଲି ଥାନା ଅନ୍ତର୍ଗତ ସିଂହପାଲି ଗ୍ରାମ ନିବାସୀ କୁନାକୁ ବିବାହ କରିଥିଲେ । ଶନିବାର ପ୍ରାତଃ ସମୟରେ ରାଜେନ୍ଦ୍ରଙ୍କୁ ଫୋନରେ ସୁଚନା ଦିଆଯାଇଥିଲା ଯେ, ସଶ୍ମିତା ଘରେ ଖଟରୁ ପଡି ଯାଇ ଆହତ ହୋଇଛନ୍ତି ଏବଂ ତାଙ୍କୁ ବୁର୍ଲା ଭିମସାରକୁ ଚିକିତ୍ସା ପାଇଁ ନିଆଯାଇଛି । ଏହାର କିଛି ସମୟ ପରେ ପୁଣି ତାଙ୍କୁ ସୁଚନା ଦିଆଯାଇଥିଲା ଯେ, ତାଙ୍କ ଝିଅର ମୃତ୍ୟୁ ହୋଇଯାଇଛି । ଏଣୁ ତୁରନ୍ତ ରାଜେନ୍ଦ୍ର ପରିବାର ସହିତ ଆସି ଭିମସାରକୁ ଯାଇଥିବା ବେଳେ ସେଠାରେ ଝିଅର ମୁଣ୍ଡରେ ଗଭୀର କ୍ଷତ ଥିବାର ଦେଖି ଜ୍ୱାଇଁ ଉପରେ ସନ୍ଦେହ ବ୍ୟକ୍ତ କରିଥିଲେ । ଏଣୁ ଅଇଁଠାପାଲି ଥାନାରେ ସେ ଲିଖିତ ଅଭିଯୋଗ ଦେବାରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା ।
ପୁଲିସ ଜେରା ସମୟରେ କୁନା ଓରାମ ନିଜେ ସ୍ତ୍ରୀ ସସ୍ମିତାକୁ ହତ୍ୟା କରିଥିବା ସ୍ଵୀକାର କରିଥିଲା । ଘରୋଇ କଳହ ଯୋଗୁଁ ମଧ୍ୟ ରାତ୍ରି ସମୟରେ ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିଲା । ଏଣୁ ଉତ୍ତ୍ୟକ୍ତ ହୋଇ କୁନା ଏକ ଲୁହା ପାଇପରେ ସ୍ତ୍ରୀ ସସ୍ମିତାଙ୍କ ମୁଣ୍ଡକୁ ପିଟି ଦେଇଥିଳା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ତେଣୁ ପୁଲିସ ଅଭିଯୁକ୍ତ ସ୍ୱାମୀ କୁନାକୁ ଗିରଫ କରିବା ସହିତ ତା ନିକଟରୁ ହତ୍ୟାରେ ବ୍ୟବହୃତ ଏକ ଲୁହା ପାଇପ ଜବତ କରିଛି । ଅପରପକ୍ଷରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତରିତ କରାଯାଇ ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି ଅଇଁଠାପାଲି ପୁଲିସ କହିଛି ।