ଝାରସୁଗୁଡା, (୦୪/୦୭) : ଆପ୍ର. : ବଜ୍ରାଘାତରେ ଟଳିପଡ଼ିଛନ୍ତି ଦୁଇଜଣ ଚାଷୀ । ଚାଷ ଜମିରେ କାମ କରୁଥିବା ବେଳେ ହଠାତ ଆସିଲା ମୃତ୍ୟୁ, ଆଉ ନେଇଗଲା ଦୁଇଜଣ ଯୁବକଙ୍କ ଜୀବନ ।
ମୃତକ ଦୁଇଜଣ ହେଲେ ଝାରସୁଗୁଡା ଜିଲ୍ଲା ବଂଜାରୀ ଗ୍ରାମର ଚୁଡାକାନ୍ତ ରୋହିଦାସ ଏବଂ ଅଶୋକ ରୋହିଦାସ । ସୂଚନାନୁସାରେ, ଗତ କିଛିଦିନ ହେବ ପାଗ ପରିବର୍ତ୍ତନ ହେବା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି । ବର୍ଷା ସାଙ୍ଗକୁ ଜୋରରେ ପବନ ମଧ୍ୟ ବୋହୁଛି । ଏଥିପାଇଁ ବିଶେଷ କାମ ନଥିଲେ ଘରୁ ନ ବାହାରିବାକୁ ପାଣିପାଗ କେନ୍ଦ୍ର ସୂଚନା ଦେଉଛନ୍ତି । କିନ୍ତୁ ଏହି ସମୟ ତ ଚାଷ କରିବା ପାଇଁ ଉନ୍ନତ ପାଗ ହୋଇଥାଏ, ବର୍ଷାଋତୁ ଆସିଲେ ଚାଷୀମାନେ ଖୁସି ହୋଇଯାନ୍ତି କାରଣ ଧରଣୀ ମା ଶସ୍ୟ ଉତ୍ପାଦନ କରିବା ପାଇଁ ସଜେଇ ହେଉଥାଏ ।
ଆଉ ଲୋକମାନଙ୍କ ପାଇଁ ପରିଶ୍ରମ କରି ଚାଷୀଟିଏ ବିଲରେ ଶସ୍ୟ ଫଳାଏ । ସେହିଭଳି ଗତକାଲି ସକାଳୁ ସକାଳୁ ଝାରସୁଗୁଡା ଜିଲ୍ଲା ବଂଜାରୀ ଗ୍ରାମର ଦୁଇ ଯୁବ ଚାଷୀ ଚାଷ ଜମିରେ କାମ କରିବା ପାଇଁ ବାହାରି ପଡ଼ିଥିଲେ । କିଏ ଜାଣିଥିଲା ବିଲରେ ଛକି ବସିଥିବ ଜମ । ଏତିକି ବେଳେ ଘଡଘଡି ମାରିବା ଦ୍ବାରା ଅକାଳରେ ଟଳି ପଡ଼ିଛନ୍ତି ଦୁଇଜଣ ଚାଷୀ । ଯେତେବେଳେ ଘଡ଼ଘଡ଼ି ବିଲରେ ପଡ଼ିଲା ସେତେବେଳେ ସେମାନେ ଅଚେତ ହୋଇ ତଳେ ପଡିଯାଇଥିଲେ ।
ସ୍ଥାନୀୟ ଲୋକମାନେ ସେମାନଙ୍କୁ ଅଚେତ ଅବସ୍ଥାରେ ଦେଖି ସଙ୍ଗେ ସଙ୍ଗେ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ, ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ବଜ୍ରାଘାତ କାରଣରୁ ଏହି ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି ବୋଲି ଝାରସୁଗୁଡ଼ା ଜିଲ୍ଲା ସିଡିଏମଓ ସୂଚନା ଦେଇଛନ୍ତି । ଦୁଇ ଯୁବକଙ୍କ ଅକାଳ ବିୟୋଗରେ ପରିବାର ବର୍ଗ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିବା ବେଳେ ସ୍ଥାନୀୟ ବାସିନ୍ଦା ବଜ୍ରାଘାତକୁ ନେଇ ଭୟଭୀତ ହୋଇପଡିଛନ୍ତି । ତେବେ ଆପଣ ଯଦି ବର୍ଷା ଘଡ଼ଘଡ଼ି ସମୟରେ ବାହାରକୁ ବାହାରିବେ ନାହିଁ ତେବେ ଆପଣଙ୍କ ଜୀବନ ସୁରକ୍ଷିତ ରହିବ ।