ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ରାମନାଗୁଡା, (୧୦/୩ ) : ରାମାନାଗୁଡା ବ୍ଲକ ଅନ୍ତର୍ଗତ କୁଜିନ୍ଦ୍ରୀ ପଞ୍ଚାୟତ ର ଗମାଙ୍ଗ କୁଡିଆ ଗ୍ରାମର ୧୧ ଗୃହ ସହ ୪୭ ଜନସଂଖ୍ୟା ଥିବା ଲୋକମାନେ ପାନୀୟ ଜଳ ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଜଳ ସଙ୍କଟ ରେ ଗମାଙ୍ଗ କୁଡିଆ ଗ୍ରାମବାସୀ । ନଳକୂପରୁ କାଦୁଆ ସହ ଦୁଷିତ ଜଳ ବାହାରୁଛି । ଯାହା କି ପିଇବା ପାଇଁ ଅନୁପଯୋଗୀ ଓ ବିପଦଜନକ ଅଟେ । ଖରାଦିନ ପ୍ରାରମ୍ଭରୁ ଜଳ ଅଭାବ ଗ୍ରାମବାସୀଙ୍କ ମନରେ ଭୟ ସୃଷ୍ଟି କରିଛି । ମାନବାଧିକାର ସଂରକ୍ଷଣ ପରିଷଦ ଓଡିଶା ର କର୍ମୀମାନେ ସେହି ଗ୍ରାମକୁ ପରିଦର୍ଶନ କରିଥିଲେ । ବିକାଶଶୀଳ ଓଡ଼ିଶା ବୋଲି ଡିଣ୍ଡିମ ପିଟୁଥିବା ସରକାର ର ପ୍ରଗତି ଏହି ଗ୍ରାମରେ ଜଳଜଳ ହୋଇ ଦେଖାଯାଉଛି ।
ସରକାରୀ ବାବୁ ମାନଙ୍କର ଏହି ଗ୍ରାମ ପ୍ରତି ଆନ୍ତରିକତା ନାହିଁ କି ଦୃଷ୍ଟି ନାହିଁ । ଫଳରେ ଏହି ନୀରିହ ଗ୍ରାମବାସୀ ପାନୀୟ ଜଳର ଅଭାବ ସହ ମୌଳିକ ଅଧିକାର ରୁ ଏବେ ମଧ୍ୟ ବଞ୍ଚିତ ହୋଇ ରହିଛନ୍ତି । ମୂଖ୍ୟ ରାସ୍ତା ପାଖରେ ଥିବା ଗ୍ରାମର ଅବସ୍ଥା ଯଦି ଏହିପରି , ତେବେ ଦୂର୍ଗମ ଅଞ୍ଚଳର ଗ୍ରାମ ମାନଙ୍କ ଅବସ୍ଥା କିପରି ଥିବ ଏଥିରେ ସ୍ପଷ୍ଟ ଜଣାପଡ଼ୁଛି । ପ୍ରଶାସନକୁ ବାରମ୍ବାର ଜଣାଇଲେ ମଧ୍ୟ ଫଳ ଶୂନ । ଫଳରେ ପାଣି ପାଇଁ ଡହଳବିକଳ ଗମାଙ୍ଗ କୁଡିଆ ଗ୍ରାମବାସୀ ମାନବାଧିକାର କର୍ମୀଙ୍କ ସହାୟତାରେ ପ୍ରଶାସନକୁ ଜଣାଇବାକୁ ଅନୁରୋଧ କରିଛନ୍ତିି ।