ବଲାଙ୍ଗୀର/ଟିଟିଲାଗଡ ୦୪/୦୪/ଆପ୍ର): ଦୀର୍ଘ ବର୍ଷ ଧରି ପାନୀୟ ଜଳ ଯୋଗାଣ ପ୍ରକଳ୍ପ କେବଳ ସରକାରୀ ବାବୁ,ଠିକାଦାର,ଯନ୍ତ୍ରୀ ନିଜ କାଗଜ କଲମରେ ମିଥ୍ୟା ବିଲ, ଭାଉଚର ଦର୍ଶାଇ ଲକ୍ଷ, ଲକ୍ଷ ଟଙ୍କା ହଡ଼ପ କରି ଆସୁଥିବା ବେଳେ ସରକାରଙ୍କ ନିର୍ମାଣଧିନ ଓଭର ହେଡ୍ ଟ୍ୟାଙ୍କ ନାମକୁ ମାତ୍ର ବୋଲି ଗୁରୁତର ଅଭିଯୋଗ ହୋଇଛି ।
ପ୍ରକାଶ ଯେ, ପଞ୍ଚାୟତି ରାଜ ମନ୍ତ୍ରୀ ରବି ନାରାୟଣ ନାୟକ ପ୍ରକଳ୍ପ କାର୍ଯ୍ୟ କାରିତା ନେଇ କୌଣସି ଅଭିଯୋଗ ଆସିଲେ ତୁରନ୍ତ ମାମଲା ରୁଜୁ ସହ ଜେଲ ଯିବେ ଠିକାଦାର ଓ ସଂପୃକ୍ତ ସରକାରୀ ଅଧିକାରି ବୋଲି କଡା ଚେତାବନୀ ଦେଇଛନ୍ତି । ହେଲେ ପରିତାପର ବିଷୟ ଯେ,ସଠିକ୍ ସମୟରେ ତ ଦୂର ର କଥା ଟିଟିଲାଗଡ ସବ ଡିଭିଜନ ଅଞ୍ଚଳ ଯାହାକି ତତଲାଗଡ ଭାବେ ପରିଚିତ ଏହି ଅଞ୍ଚଳର ଗ୍ରାମବାସୀ ପାଣି ପାଇଁ ଡହଳ, ବିକଳ ହୋଇ ରାଜ ରାସ୍ତାକୁ ଓହ୍ଲାଇ ଆସୁଛନ୍ତି । ବାରମ୍ବାର ଅଭିଯୋଗ ସତ୍ତ୍ୱେ ଏହି ଟିଟିଲାଗଡ ଅଞ୍ଚଳର ବେଲପଦର୍,ମାଲିଶିରା,ତେନ୍ତୁଳିଖୁଣ୍ଟି, ଡଙ୍ଗରପଡା, ଖଜୁରପଡ଼ା,ସିହିନି, ଡୁମେରବାହାଲ, ବୁର୍ଡିପଡା,ସିରୁଲ,ଭଳି ଅନେକ ଗୁଡ଼ିଏ ଗ୍ରାମରେ ଏହି ଜଳ ଯୋଗାଣ ବ୍ୟବସ୍ଥାରୁ ସମ୍ପୂର୍ଣ ରୂପେ ବାଦ ପଡିଛନ୍ତି ଜନ ସାଧାରଣ ।
ମହିଳା,ପୁରୁଷ ସବୁ ବର୍ଗର ଗ୍ରାମବାସୀ ନିୟମିତ ଆବେଦନ,ନିବେଦନ କରିବା ଅଭିଯୋଗ ସହ ରାସ୍ତା ଅବରୋଧ କରି ବିରୋଧ ପ୍ରଦର୍ଶନ କରାଯାଇ ଆସିବା ନିୟମିତ ଘଟଣାରେ ପରିଣତ ହୋଇଛି । ଏ ନେଇ ଜିଲ୍ଲା ମୁଖ୍ୟ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରିଥିବା ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । ପ୍ରକାଶ ଯେ ପ୍ରାୟ ତିନି ବର୍ଷ ଧରି ବଲାଙ୍ଗୀର ଜିଲ୍ଲା ଦାୟିତ୍ଵ ଗ୍ରହଣ କରିବା ପରେ ପିସି କାରବାର କରିବା ଓ ଯୋଜନା ଆଳରେ ମାଲେମାଲ ହୋଇ ଥିବା ବେଳେ ଏବେ ଏହି ଗ୍ରୀଷ୍ମ ଋତୁରେ ଟ୍ୟାଙ୍କର ଯୋଗେ ପାନୀୟ ଜଳ ବ୍ୟବସ୍ଥା କରିବେ ବୋଲି କହିଛନ୍ତି ।
ଏହି ଜିଲ୍ଲା ଓ ମୁଖ୍ୟ ଭାବେ ଟିଟିଲାଗଡ ସବ ଡିଭିଜନରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଅଧପନ୍ତରିଆ ସହ ନିମ୍ନ ମାନର କାର୍ଯ୍ୟ କରି କିଛି ଗୋଟି ଓଭର ହେଡ ପାଣିଟାଙ୍କି ନିର୍ମାଣ କାହା ସ୍ୱାର୍ଥରେ ସେଥିରୁ ସ୍ପଷ୍ଟ ଅନୁମେୟ । ଏପରିକି ଉକ୍ତ ଅଧିକାରୀ ଠିକାଦାର ତଥା ସବୁ ସରପଞ୍ଚ ଓ ଅନ୍ୟ ଅଧିକାରୀଙ୍କୁ ନେଇ ପିସି କାରବାର କରିବା ସ୍ପଷ୍ଟ ଅନୁମେୟ । ଏହି ଅଧିକାରୀଙ୍କ ବିରୁଦ୍ଧରେ ତୁରନ୍ତ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ବିଭିନ୍ନ ମହଲରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।