ରାୟଗଡା, (୩୦/୦୬) : ଆପ୍ର. : ରାୟଗଡା ସହରରେ ପୌର ପରିଷଦ ପକ୍ଷରୁ ସ୍ବଚ୍ଛତାକୁ ଦୃଷ୍ଟି ଦିଆ ଯାଉଥିବା ବେଳେ, ଝାଡ଼ା ଓ ପରିଶ୍ରା ଯିବା ପାଇଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ।
ପବିତ୍ର ରଥଯାତ୍ରାକୁ ଦୃଷ୍ଟିରେ ରଖି ପୌରପରିଷଦ ପକ୍ଷରୁ ଅନେକ ସ୍ବଚ୍ଛତା କାର୍ଯକ୍ରମ ଅବଲମ୍ବନ କରାଯାଇଛି । କିନ୍ତୁ, ହଜାର ହଜାର ଭକ୍ତଙ୍କ ସମାଗମ ଦୃଷ୍ଟିରେ ରଖି ପୌରପରିଷଦ ପକ୍ଷରୁ ଝାଡା ଓ ପରିଶ୍ରା ଯିବା ପାଇଁ କୌଣସି ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ବୋଲି ଅଭିଯୋଗ ହୋଇଛି । ରାୟଗଡା ସହରରେ ମୁକ୍ତା ଯୋଜନାରେ ମାଳ ମାଳ ଶୌଚାଳୟ ନିର୍ମାଣ କରାଯାଇଛି । କିନ୍ତୁ, ଗୋଟିଏ ଭି କାର୍ଯ୍ୟକାରୀ ହେବା ନଜରକୁ ଆସୁନି ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି । ମୁଖ୍ୟତଃ ରଥଯାତ୍ରା ଅବସରରେ ମୁଖ୍ୟ ଚିକିତ୍ସାଳୟରେ ନିକଟରେ ଥିବା ମୁକ୍ତା ଯୋଜନାରେ ନିର୍ମିତ ଶୌଚାଳୟ ଏବଂ ବଜାର ନିକଟରେ ଥିବା ଶୌଚାଳୟ ବନ୍ଦ ହୋଇ ପଡ଼ି ରହିଛି । ତେବେ କାମଚଳା ପାଇଁ ଜିସିଡି ହାଇସ୍କୁଲ୍ ପଡ଼ିଆ ଭିତରେ ଥିବା ଶୌଚାଳୟ ବ୍ୟତୀତ ଅନ୍ୟ କେଉଁଠି ନିଃଶୁଳ୍କ ଶୌଚାଳୟ ବ୍ୟବସ୍ଥା ନାହିଁ ।
ଅନ୍ୟପଟେ ଠିକା ସଂସ୍ଥା ଦ୍ୱାରା ପରିଚାଳିତ ରାୟଗଡ଼ ବସ୍ ଷ୍ଟାଣ୍ଡରେ ଥିବା ଶୌଚାଳୟ କେବେ ଭିଡ଼ ଅଧିକ, କେବେ ପାଣିର ଅଭାବ ଆଉ କେବେ କରେଣ୍ଟ ନ ଥିବା ଯୋଗୁଁ ବନ୍ଦ ହୋଇ ରହି ଥାଉଛି । ଦୈନିକ ବଜାର ଭିତରେ ଥିବା ପୌରପରିଷଦର ଶୌଚାଳୟ ର ମଧ୍ୟ ଦୟନୀୟ ଅବସ୍ଥା ଦେଖିବାକୁ ମିଳିଛି । ତେବେ ରାୟଗଡ଼ ସହରକୁ ଆବର୍ଜନା ମୁକ୍ତ କରିବା ଏବଂ ସ୍ବଚ୍ଛତା ଅବଲମ୍ବନ କରିବା ଦିଗରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି । ତେବେ ଆଗାମୀ ଦିନରେ ଝାଡ଼ା ଓ ପରିସ୍ରା ଯିବା ପାଇଁ ପୌର ପରିଷଦ ପକ୍ଷରୁ ଶୌଚାଳୟ ଗୁଡ଼ିକ ବ୍ୟବସ୍ଥା ନେଇ କେଉଁ ଭଳି ପଦକ୍ଷେପ ଗ୍ରହଣ କରାଯିବ ଦେଖିବାକୁ ରହିଲା ।