କଣିହାଁ, (୩୦/୦୫) : ଆପ୍ର. : ବ୍ୟାପୁଛି ଝାଡା ବାନ୍ତି । ଆମ୍ବୁଲାନ୍ସରେ ବୁହା ହେଉଛନ୍ତି ରୋଗୀ । ଝାଡା ବାନ୍ତିରେ ୪୦ ରୁ ଅଧିକ ଆକ୍ରାନ୍ତ ହୋଇଥିବାବେଳେ ୧୫ ଜଣ ରୋଗୀ ମେଡିକାଲରେ ଭର୍ତ୍ତି ଅଛନ୍ତି ।
ଅନୁଗୁଳ ଜିଲ୍ଲା କଣିଁହା ବ୍ଲକ ପୋଡାଗଡ ଗାଁରେ ୩ ଦିନ ହେବ ବ୍ୟାପିଛି ଝାଡା ବାନ୍ତି । ସୂଚନା ମୁତାବକ ୩ ଦିନ ହେବ ଜଣ ଜଣ କରି ଝାଡା ବାନ୍ତିରେ ଆକ୍ରାନ୍ତ ହୋଇ ପାଖାପାଖି ୪୦ ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ଜଣା ପଡ଼ିଛି । ଗାଁରେ ସ୍ୱାସ୍ଥ୍ୟକର୍ମୀମାନେ ପହଞ୍ଚି ଲୋକଙ୍କୁ ସଚେତନ କରିବା ସହିତ ORS , ଔଷଧ ଆଦି ବଣ୍ଟନ କରୁଛନ୍ତି । ଗୁରୁତର ରୋଗୀମାନଙ୍କୁ କଣିଁହା, ଖମାର ସମେତ ଅନ୍ୟ ସରକାରୀ ଓ ବେସରକାରୀ ମେଡିକାଲରେ ଚିକିତ୍ସା ପାଇ ଭର୍ତ୍ତି କରାଯାଇଛି ।
ତେବେ କେଉଁ କାରଣରୁ ଏହି ଝାଡା ବାନ୍ତି ବ୍ୟାପିଛି ତାହା ଅସ୍ପଷ୍ଟ ଥିବା ବେଳେ ଦୂଷିତ ପିଇବା ପାଣି କୁ ସିଧା ସଳଖ ଭାବେ ଦାୟୀ କରିଛନ୍ତି ଗ୍ରାମବାସୀ । ସେମାନଙ୍କ କହିବା କଥା ଜଳ ଯୋଗାଣ ପାଇଁ ଥିବା ଓଭର ହେଡ୍ ଟାଙ୍କି ଖୋଲା ମେଲା ହୋଇପଡିଛି । ଏଥି ସହିତ ବିଭିନ୍ନ ଜାଗାରେ ପାଇପ୍ ଫାଟି ସେଥିରେ ନର୍ଦ୍ଦମା ପାଣି ମଧ୍ୟ ପଶୁଛି, ଫଳରେ ଗାଁ ଲୋକଙ୍କୁ ଦୂଷିତ ପାଣି ପିଇବାକୁ ପଡୁଛି । ସେଥିପାଇଁ ଝାଡାବାନ୍ତି ବ୍ୟାପୁଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି ।
ସେପଟେ କଣିହାଁ ବ୍ଲକ ସ୍ୱାସ୍ଥ୍ୟ ଅଧିକାରୀ ମଧ୍ୟ ପାଣି ପାଇଁ ସଂକ୍ରମଣ ହୋଇଥିବା ସନ୍ଦେହ କରୁଛନ୍ତି ଓ ସ୍ବାସ୍ଥ୍ୟ କର୍ମୀଙ୍କ ଦ୍ଵାରା ଲୋକଙ୍କୁ ସଚେତନ କରିବା ସହିତ ଔଷଧ ଓ ଅନ୍ୟାନ୍ୟ ଆବଶ୍ୟକ ଜିନିଷ ବଣ୍ଟନ କରାଯାଉଛି । ତୁରନ୍ତ ପାଣି ପରୀକ୍ଷା କରାଯିବ ସହ ଡାକ୍ତରୀ ଟିମ୍ ପହଞ୍ଚି ଗାଁରେ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଦାବି ହୋଇଛି । ସେପଟେ ଓଭର ହେଡ୍ ଟାଙ୍କିଗୁଡ଼ିକୁ ଘୋଡ଼ାଇବା ସହ ଗାଁକୁ ବିଶୋଧନ କରାଗଲେ ଏଭଳି ସମସ୍ୟା ଏତେ ମାତ୍ରାରେ ଦେଖାଯିବନି ବୋଲି କହିଛନ୍ତି ଗାଁ ଲୋକେ ।