ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨୦/୧୨) : ଆଜି ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ଜଗନ୍ନାଥ ବଲଭଦ୍ର ଏବଂ ସୁଭଦ୍ରାଙ୍କ ଠାରୁ ଆଜ୍ଞାମାଳ ନେଇ ମୁଣ୍ଡରେ କଳସ ଧରି ଶୋଭାଯାତ୍ରାରେ ବାହାରିଲେ ଉପଜିଲ୍ଲାପାଳ ତଥା ଚଇତିର ଅଧ୍ୟକ୍ଷା କିରନ ଦୀପ କୌର ସହୋତା ।
ଝିପିଝିପି ବର୍ଷାକୁ ଖାତିର ନ କରି ପ୍ରାୟ ଦୁଇ ହଜାର ରୁ ଉର୍ଦ୍ଧ ଲୋକଙ୍କ ସମାବେଶ ହୋଇଥିଲା । ନୃତ୍ୟ ସହ ପ୍ରଶାସନିକ ଅଧିକାରୀ, ଏନ୍ ସି ସି କ୍ୟାଡେଟ, ପୋଲିସ ପ୍ରଶାସନ , ଅଙ୍ଗନବାଡ଼ି କର୍ମୀ ଓ ଜନସାଧାରଣ ଝୁମିଝୁମି କଳସ ଯାତ୍ରାରେ ଭାଗ ନେଇଥିବା ଦେଖିବାକୁ ମିଳିଥିଲା । ଏହି ଶୋଭାଯାତ୍ରାରେ ସ୍ଥାନୀୟ ବିଧାୟକ ସତ୍ୟଜିତ ଗମାଙ୍ଗ , ଚଇତିର ଆବାହକ ଡ଼କ୍ଟର ଚନ୍ଦ୍ରଧ୍ଵଜ ପଣ୍ଡା, ଆଦିବାସୀ ପ୍ରକଳ୍ପ ଅଧିକାରୀ ଅଜୟ ପ୍ରଧାନ ,ତହସିଲଦାର ଲୀଳାବତୀ ଆଚାର୍ଜୀ ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶୁଭ୍ରାଞ୍ଜଳି ପ୍ରଧାନ, ଜିଲ୍ଲା ସୂଚନା ଅଧିକାରୀ ବସନ୍ତ ନାୟକ ,ସତ୍ୟଜିତ ନାୟକ, ବିପିନ ନାୟକ ପ୍ରମୁଖ ଏହି ଶୋଭାଯାତ୍ରାରେ ସାମିଲ ହୋଇ ଜଗନ୍ନାଥ ମନ୍ଦିର ଠାରୁ ବାହାରି ସହର ପରିକ୍ରମା କରି ପ୍ରାୟ ତିନି କିଲୋମିଟର କେନ୍ଦ୍ରୀୟ ବିଦ୍ୟାଳୟ ପଡିଆରେ ପହଞ୍ଚି ସେଠାରେ ଚଇତି କଳସକୁ ସ୍ଥାପନା କରିଥିଲେ ।
ଆଜି ସନ୍ଧ୍ୟାରେ ଜିଲ୍ଲାପାଳ ଏହି ଉତ୍ସବକୁ ଉଦ୍ଘାଟନ କରିବାର ଥିଲା ଓ ବିଶିଷ୍ଠ କଣ୍ଠ ଶିଳ୍ପୀ ଦେବେନ୍ଦ୍ର ଅଧିକାରୀ ଏବଂ ଚଳଚିତ୍ର ଅଭିନେତ୍ରୀ ସୁପ୍ରିୟା ନାୟକଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଥିଲା, କିନ୍ତୁ ଲଘୁଚାପ ବର୍ଷା ଯୋଗୁଁ ଏହି କାର୍ଯ୍ୟକ୍ରମକୁ ଆଜି ଦିନକ ପାଇଁ ସ୍ଥଗିତ କରାଗଲା । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଏକ ସାମ୍ବାଦିକ ସମ୍ମିଳନୀ ଡ଼କାଇ ଉପଜିଲ୍ଲାପାଳ ତଥା ଚଇତି ଇଡିତାଲ ଅଧ୍ୟକ୍ଷା କିରନ ଦୀପ କୌର ଆସନ୍ତା କାଲି ଅର୍ଥାତ ୨୧ ଓ ୨୨ ତାରିଖରେ କାର୍ଯ୍ୟକ୍ରମ କରାଯିବ ବୋଲି ସୂଚନା ଦେଇଛନ୍ତି ।