ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୨୪/୦୫) : ନିର୍ବାଚନ ଆଉ ଗୋଟିଏ ଦିନ ବାକିଥିବା ବେଳେ କଟକ ଜିଲ୍ଲା ଆଠଗଡ଼ରେ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି । ଟଙ୍କା, ମାଦକ ଦ୍ରବ୍ୟ ବଣ୍ଟାକୁ ନେଇ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି ।
ଆକ୍ରମଣରେ ଉଭୟ ଗୋଷ୍ଠୀର ୫ରୁ ଅଧିକ ଆହତ ହୋଇଛନ୍ତି। କଟକ ଜିଲ୍ଲା ଆଠଗଡ଼ ଥାନା ଅନ୍ତର୍ଗତ ତରଡିଙ୍ଗ ଗାଁରେ ଏହି ଘଟଣା ଘଟିଛି । ଆହତଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଜଣାଯାଇଛି। ତାଙ୍କୁ କଟକ ଶିଶୁଭବନକୁ ସ୍ଥାନାନ୍ତର କରାଯାଇଛି । ଗତକାଲି ସନ୍ଧ୍ୟାରେ ହରିଜନ ସାହିରେ ଟଙ୍କା ଓ ମାଦକ ଦ୍ରବ୍ୟ ବଣ୍ଟାଯାଉଥିଲା । ଏହି ସମୟରେ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହି ଗଣ୍ଡଗୋଳ ତୀବ୍ର ରୂପ ନେଇଥିଲା । ଉଭୟ ଗୋଷ୍ଠୀ ମଧ୍ୟରେ ଢେଲା ପଥର ମାଡ଼ ହୋଇଥିଲା । ଏଥିରେ ଉଭୟ ଗୋଷ୍ଠୀର ୫ରୁ ଅଧିକ ଲୋକ ଆହତ ହୋଇଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଜଣେ ନାବାଳକ ଢେଲା ପଥର ମାଡ଼ରେ ଆହତ ହୋଇଥିଲେ । ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ଆଠଗଡ଼ ଥାନା ପୁଲିସ ଘଟଣାର ତଦନ୍ତ କରୁଛି ।