ରାଇକିଆ ୨୫/୦୩-ଆପ୍ର): ଟିକାବାଲି ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ। ଏହାର ପ୍ରତିବାଦରେ ମଙ୍ଗଳବାର ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଟିକାବାଲି ଏବଂ ଆଖପାଖ ଅଞ୍ଚଳରେ ସମସ୍ତ ଦୋକାନ ବଜାର, ସ୍କୁଲ କଲେଜ, ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଛି। ଯାନବାହନ ଯାତାୟତ ପ୍ରଭାବିତ ହୋଇଛି ।
ସୂଚନାନୁଯାୟୀ, ଗତ ମାସ ୨୭ ତାରିଖରେ ଟିକାବାଲି ଅଞ୍ଚଳର ଜଣେ ନାବାଳିକା ନିଖୋଜ ହୋଇଥିଲେ। ହେଲେ ଦୁଇ ଦିନ ତଳେ ସୋରଡା ଅଞ୍ଚଳରୁ ତାଙ୍କର କଙ୍କାଳ ମିଳିଛି। ପୁଲିସ ତଦନ୍ତରୁ ଏହା ଏକ ଗଣବଳାତ୍କାର ଏବଂ ହତ୍ୟା ଘଟଣା ବୋଲି ଜଣାପଡିଛି। ଏହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅପର ପକ୍ଷରେ ସୋମବାର ସନ୍ଧ୍ୟାରେ ଟିକାବାଲି ଥାନା ଅନ୍ତର୍ଗତ ବଡ଼ିମୁଣ୍ଡା ଅଞ୍ଚଳରୁ ଜଣେ ବ୍ୟକ୍ତିଙ୍କ ମୁଣ୍ଡବିହୀନ ଶବ ଉଦ୍ଧାର କରାଯାଇଛି। ପୂର୍ବରୁ ମଧ୍ୟ ଲଗାତାର ଟିକାବାଲି ଥାନା ଅଞ୍ଚଳରେ ଚୋରି, ଡକାୟତି, ହତ୍ୟା ଭଳି ଘଟଣା ଘଟିଛି।
ତେଣୁ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସୋମବାର ଟିକାବାଲି ବଣିକ ସଙ୍ଘ, ନାରୀ ସୁରକ୍ଷା ମହିଳା ସଙ୍ଘ, କନ୍ଧମାଳ ପ୍ରଗତି ମହାସଂଘ ସମେତ ସ୍ଥାନୀୟ ଲୋକଙ୍କ ଏକ ଜରୁରୀ ବୈଠକ ବସିଥିଲା। ବୈଠକର ନିଷ୍ପତ୍ତି ଅନୁସାରେ ଆଜି ଟିକାବାଲି ବନ୍ଦ ରହିଛି। ଲୋକେ ନାବାଳିକାଙ୍କ ହତ୍ୟାକାରୀମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ପୁଲିସ ପରିସ୍ଥିତି ଉପରେ ନଜର ରଖିଅଛି।