ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୩୧/୦୫) : ମୁରିବାହାଲ ଥାନା ୫୯ ନମ୍ବର ଜାତୀୟ ରାଜପଥ ହଳଦୀ ଓ ଯୁଗିରତା ମଝିରେ ଏକ ଅଚଳ ହୋଇପଡି ରାସ୍ତା ପାର୍ଶ୍ବରେ ଛିଡ଼ା ହୋଇଥିବା ଟ୍ରକ ପଛ ପଟେ ପିଟି ହୋଇ ବାଇକ ଆରୋହୀ ଯୁଗିରତା ଗ୍ରାମର ଜଣେ ନବବିବାହିତ ଯୁବକଙ୍କ ଅକାଳ ବିୟୋଗ ଭଳି ଦୁଃଖଦ ଘଟଣା ଘଟିଛି ।
ଯୁଗିରତା ଗ୍ରାମର ଛିନୁ ବୁଡେକଙ୍କ ନବବିବାହିତ ପୁଅ ଲକ୍ଷ୍ମୀଧର ବୁଡେକ (୩୪) ଗୁରୁବାର ରାତି ୮ଟାରେ ନିଜ ଘରୁ ଏକ ସିଡି ଡନ ବାଇକ୍ (ଓଆର ୦୩ ଏଚ ୧୮୭୮)ରେ ବାହାରି ହଳଦୀ ଯାଉଥିବା ବେଳେ ଘଟଣାସ୍ଥଳରେ ବ୍ରେକ ଫେଲ ହୋଇ ଛିଡା ହୋଇଥିବା ଟ୍ରକ (ଓଡ଼ି ୦୩ ଏକ୍ସ ୩୨୬୯) ର ପଛ ପଟେ ପିଟି ହୋଇ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ଘଟଣା ସ୍ଥଳରେ ତାଙ୍କର ଅକାଳ ବିୟୋଗ ଘଟିଥିଲା । ଲକ୍ଷ୍ମୀଧର ଗତ ଫେବୃଆରୀ ୨୯ତାରିଖ ଦିନ କଳାହାଣ୍ଡି ଜିଲ୍ଲା ବରଗୋଡା ଗ୍ରାମର ଜଣେ ଯୁବତୀଙ୍କୁ ବିବାହ କରିଥିବା ବେଳେ ସେ ଏବେ ଗର୍ଭବତୀ ଅଛନ୍ତି ।
ଖବର ପାଇ ମୁରିବାହାଲ ଥାନା ପୁଲିସ ଏସଆଇ ପ୍ରମୋଦ କୁମାର ପଧାନ ଘଟଣାସ୍ଥଳକୁ ପହଞ୍ଚି ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଟିଟିଲାଗଡ଼ ପଠାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ଦୁର୍ଘଟଣାଗ୍ରସ୍ତ ଦୁଇ ଗାଡ଼ିକୁ ଜବତ କରିଥିଲେ । ଅଚଳ ହୋଇପଡ଼ିଥିବା ଟ୍ରକଟି ପ୍ରଧାନମନ୍ତ୍ରୀ ସଡକ ଯୋଜନା କାର୍ଯ୍ୟ କରୁଥିବା ଟିଟିଲାଗଡ଼ର ଜଣେ ନାମକରା ଠିକାଦାରଙ୍କ ବୋଲି ଜଣାପଡିଛି । ମୃତଦେହ ଗାଁ’ରେ ପହଞ୍ଚିବା ପରେ ଅତ୍ୟନ୍ତ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।ନବବିବାହିତା ପତ୍ନୀଙ୍କ ସହ ପୀଡ଼ିତ ପରିବାରଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ଯୁଗିରତା ଗ୍ରାମବାସୀ ଦୃଢ଼ ଦାବି କରିଛନ୍ତି । ଲକ୍ଷ୍ମୀଧରଙ୍କ ବଡଭାଇ ଦୁର୍ଯୋଧନ ବୁଡେକଙ୍କ ଏତଲା ଆଧାରରେ ପୁଲିସ କେସ ନ ୧୭୬/୨୪ ରୁଜ୍ଜୁ କରି ଅଧିକ ତଦନ୍ତ କରୁଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ କାରଣ ଜଣାପଡିବ ବୋଲି ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି ।