ସୁନ୍ଦରଗଡ଼, (୦୨/୦୭) : ଆପ୍ର. : ବାମରା ନିକଟ ସୁନ୍ଦରଗଡ଼ ଜିଲ୍ଲା ଧାରୁଆଡିହି ରେଳ ଷ୍ଟେସନରେ ଟ୍ରେନରେ କଟି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି ।
ସୂଚନା ଅନୁସାରେ ଧାରୁଆଡିହି ବସ୍ତି ଅଞ୍ଚଳର ମନୋରଞ୍ଜନ ଗହିରଙ୍କ ପୁଅ ଜଗନ୍ନାଥ ଗହିର ବୟସ ୨୯ ବର୍ଷ ମାନସିକ ବିକାରଗ୍ରସ୍ତ ଥିବା ବେଳେ ସେ ସୋମବାର ଦିନ ରେଳ ଷ୍ଟେସନରେ ବୁଲାବୁଲି କରୁଥିବା ସମୟରେ ଏକ ଦ୍ରୁତଗାମୀ ଟ୍ରେନ ତାଙ୍କୁ ଧକ୍କା ଦେବାରୁ ତାଙ୍କ ଦେହର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗି ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଛି । ସୂଚନା ପାଇ ରାଜଗାଙ୍ଗପୁର ରେଳବାଇ ପୋଲିସ ଏସଆଇ ଲିଙ୍ଗରାଜ ସାହୁ ଧାରୁଆଡିହି ରେଳ ଷ୍ଟେସନକୁ ପହଞ୍ଚି ଶବ ଉଦ୍ଧାର କରି ସୁନ୍ଦରଗଡ଼ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇ ଥିଲେ । ଅନ୍ୟ ପଟେ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ଶବ ବ୍ୟବଚ୍ଛେଦ ପରେ ସନ୍ଧ୍ୟା ୫ ଟା ସମୟରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।