ରିପୋର୍ଟ : କ୍ଷମା ସାଗର ଦାଶ୍
ମୁନିଗୁଡା, (୨୫/୮) : ରାୟଗଡା ଜିଲ୍ଲାର ମୁନିଗୁଡା ବଜାରରେ ଏବେ ଯୁଆଡେ ଦେଖିବେ ବାଉଁଶ କରଡ଼ି । ଯାହାକି ବର୍ତମାନ ନିୟମଗିରି ଅଞ୍ଚଳର ଡଙ୍ଗରିଆ ମହିଳା ମାନଙ୍କୁ ଜୀବନ ଜୀବିକା ଭାବେ ରୋଜଗାର ଯୋଗାଉଛି ଏହି ବାଉଁଶ କରଡି ।
ରାୟଗଡା ଜିଲ୍ଲାର ମୁନିଗୁଡା, ବିଷମକଟକ ଓ କଲ୍ୟାଣସିଂହପୁର ବ୍ଲକର ନିୟମଗିରି ପାର୍ବତ୍ୟାଞ୍ଚଳରେ ବସବାସ କରୁଥିବା ଆଦିମ ସଭ୍ୟତାର ଆଦିମାନବ ଡଙ୍ଗରିଆ ମାନଙ୍କ ଜୀବନଶୈଳୀ, ବେଶଭୁଷା,ଖାଦ୍ୟପେୟ,ପର୍ବପର୍ବାଣୀ, ପାହାଡ଼ି ଚାଷବାଷ ଯେତିକି ନିଆରା ତା’ଠୁ ଢେର ଅଧିକା ଆକର୍ଷଣ ସେମାନଙ୍କ ଜୀବନ ଜୀବିକାକୁ ନେଇ ଅନେକ ସଂଘର୍ଷର ଇତିକଥା । ନିୟମଗିରି ପାର୍ବତ୍ୟାଞ୍ଚଳର ପ୍ରକୃତି କୋଳରୁ ମିଳୁଥିବା ଆମ୍ବ, ପଣସ, ସପୁରୀ, କଦଳୀ, କମଳା, କେନ୍ଦୁ, ବେଲ, ବିଭିନ୍ନ କନ୍ଦା, ପାଳୁଅ, ଅଦା,ହଳଦୀ, ଖଲିପତ୍ର, ପତ୍ରଦନା, ଫୁଲଝାଡୁ, ପନିପରିବା, ମାଣ୍ଡିଆ, ବାଜରା, ମକା, କାଙ୍ଗୁ, ସୁଆଁ, କୋଶଳା, ଅଳସୀ, କାନ୍ଦୁଲ, ତେନ୍ତୁଲି, ବାଉଁଶ, ଜାଳେଣିକାଠ, ଛତୁ, ଶିଆଳି ଦଉଡି, ଚେରମୁଳି, ଜଡ଼ିବୁଟି, ମହୁ, ଝୁଣା, ମହୁଲ, ଜଙ୍ଗଲୀ ଫୁଲ ଏବଂ ସୁସ୍ୱାଦୁ ବାଉଁଶ କରଡି ସବୁ ସେମାନଙ୍କ ପରିବାରର ଜୀବନ ଜୀବିକାର ମୂଳ ଉତ୍ସ ।
ସକାଳ ନପାଉଣୁ ଡଙ୍ଗରିଆ ମହିଳା ବାର ମାସରେ ଉପୁଜୁଥିବା ଏସବୁ ଦ୍ରବ୍ୟକୁ ମୁଣ୍ଡରେ ଧରି ପହଞ୍ଚିଯାଏ ମୁନିଗୁଡା,ବିଷମକଟକ, କଲ୍ୟାଣସିଂହପୁରର ପ୍ରମୁଖ ବଜାର ସହ ସାପ୍ତାହିକ ହାଟ ମାନଙ୍କରେ। ଗ୍ରୀଷ୍ମଋତୁରେ ନିୟମଗିରିରୁ ଉତ୍ପାଦିତ ସପୁରୀ, ପଣସର ଅଭାବୀ ବିକ୍ରି ସେମାନଙ୍କ ଜୀବନ ଜୀବିକାକୁ ଦୋହଲାଇ ଦେଇଥିବା ବେଳେ ଆଜିକାଲି ସେମାନଙ୍କ ଜୀବିକାର ମାର୍ଗ ପ୍ରଶସ୍ତ କରିବା ପାଇଁ ଡଙ୍ଗରିଆ ମହିଳା ମୁଣ୍ଡରେ ସୁସ୍ୱାଦୁ ବାଉଁଶ କରଡିର ବୋଝ ଧରି ବଜାର ହାଟ ମାନଙ୍କରେ ପସରା ମେଲେଇ ଦେଇଛନ୍ତି । ଏହି ବାଉଁଶ କରଡି ସଂଗ୍ରହ ସମୟରେ ଡଙ୍ଗରିଆ ମହିଳାମାନେ ବହୁତ ବିପଦର ସମ୍ମୁଖୀନ ହୋଇଥାନ୍ତି । ବର୍ଷାଦିନ, ଘଞ୍ଚ ଜଙ୍ଗଲ, ବିପଦ ସଙ୍କୁଳ ପାର୍ବତ୍ୟାଞ୍ଚଳ ମଧ୍ୟରେ ବୁଲିବୁଲି କଅଁଳ ବାଉଁଶ ଗଜାକୁ କାଟି ସଂଗ୍ରହ କରିବାକୁ ହୋଇଥାଏ । କଅଁଳ କଅଁଳ ବାଉଁଶ ଗଜାକୁ କାତିରେ କାଟି ସଫାକରି ବିଡା ବିଡା ବାନ୍ଧି ଝୁଡ଼ିରେ ଧରି ବେପାର ପାଇଁ ବଜାରରେ ପହଞ୍ଚିଯାଏ ।
ଗୋଟେ ଗୋଟେ ବିଡାରେ ଥିବା ୫/୬ଟି କରଡିକୁ ୧୦ ରୁ ୨୦ଟଙ୍କାରେ ବିକ୍ରି କରିଥାଏ। ଡଙ୍ଗରିଆଙ୍କ ଦ୍ୱାରା ବିକ୍ରି ହେଉଥିବା ଏହି ସୁସ୍ୱାଦୁ କରଡି ଆଜିକାଲି ଋତୁରେ ସଭିଙ୍କ ବହୁତ ପ୍ରିୟ ଖାଦ୍ୟ। କେହି ପୀଠଉ ଦିଆ ଗରମ ଗରମ କରଡି ଭଜା ତ କେହି କେହି ଏହାକୁ କାଞ୍ଜିରେ ଖଟା ଦେଇ ରାନ୍ଧୁଥିବା ବେଳେ କେହି ନିଜ ରୁଚି ଅନୁସାରେ ରାନ୍ଧି ଖାଇଥାନ୍ତି। ପ୍ରଥମେ ପ୍ରଥମେ ଏହି କରଡି ଖାଦ୍ୟ ଡଙ୍ଗରିଆ ଜନଜାତି ମଧ୍ୟରେ ସୀମିତ ଥିଲା ହେଲେ ଏବେ ଏହା ଧନୀ ଗରିବ ସବୁ ଜାତିର ବର୍ଷା ଦିନର ଅତି ପ୍ରିୟ ଖାଦ୍ୟ । ଏସବୁ ବିକି ଡଙ୍ଗରିଆ ମହିଳା ଭଲ ଦୁଇ ପଇସା ରୋଜଗାର ସହିତ ବଜାରରେ ତାହାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ।
ଆଜି ଡଙ୍ଗରିଆ ସମାଜ ତା’ନିୟମରାଜାର ରାଇଜରୁ ମିଳୁଥିବା ଏହିସବୁ ଦୁର୍ଲଭ ଦ୍ରବ୍ୟର ମାଲିକ। ଏହିସବୁ ସାମଗ୍ରୀ ସେମାନଙ୍କ ଜୀବନ ଜୀବିକାର ମୁଖ୍ୟ ସ୍ରୋତ । ବାହାର ଜିଲ୍ଲା ଓ ରାଜ୍ୟରୁ ଅନେକ ବେପାରୀ ବାଉଁଶ କରଡି ସହ ଅନ୍ୟାନ୍ୟ ବିଭିନ୍ନ ଫସଲ ପାଇଁ ମୁନିଗୁଡା,ବିଷମକଟକ ଓ କଲ୍ୟାଣସିଂହପୁରର ବିଭିନ୍ନ ହାଟ ବଜାରରେ ଡେରା ପକାଇଥିବା ଦେଖିବାକୁ ମିଳୁଛି । ଏହି କରଡ଼ି ବର୍ତମାନ ମୁନିଗୁଡାରୁ ବାହାର ରାଜ୍ୟ ଛତିଶଗଡ,ୱେଷ୍ଟ ବେଙ୍ଗଲ ସହ ବିଭିନ୍ନ ରାଜ୍ୟକୁ ବ୍ୟବସାୟୀ ପାଇଁ ରପ୍ତାନି ହେଉଥିବା ଜଣାପଡିଛି ।
କିନ୍ତୁ ଅନେକ ସମୟରେ ଡ଼ଙ୍ଗରିଆ ମାନେ ଅସାଧୁ ବ୍ୟବସାୟୀ ମାନଙ୍କ ଠକାମିର ଶିକାରରେ ପଡୁଥିବା ମଧ୍ୟ୍ୟ ଜଣାଯାଏ । ହେଲେ ହିସାବ ଜାଣିନଥିବା ଡ଼ଙ୍ଗରିଆ ମାନେ ସବୁବେଳେ ଅଳ୍ପ ଲାଭ ପାଇଥାନ୍ତି କିନ୍ତୁ ଦୁଃଖରେ ରୁହନ୍ତି ନାହିଁ ସେମାନଙ୍କୁ ଦୁଇବେଳା ଠିକରେ ଖାଇବାକୁ ମିଳିଲେ ସେମାନେ ସନ୍ତୁଷ୍ଟ ହୋଇ ସବୁବେଳେ ଖୁସିରେ ରହିଥାନ୍ତି ।