ରିପୋର୍ଟ :ଭଗବାନ ମହାନ୍ତି //
ମୁରିବାହାଲ ତା ୦୭/୧୨/୨୪): ମୁରିବାହାଲ ବ୍ଲକ ମାଳିଶିରା ପଞ୍ଚାୟତ ଡେଙ୍ଗପଦର ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୭୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଇ ଗୁରୁତର ଅସୁସ୍ଥ ହୋଇପଡିଥିବା ଜଣାପଡିଛି। ମଧ୍ୟାହ୍ନ ଭୋଜନର ଅଣ୍ଡା ତରକାରୀରେ ପାଚିକା ହଳଦୀ ପକାଇବା ବଦଳରେ ସର୍ଫ ପାଉଡର ପକାଇଦେଇଥିବା ଅଭିଯୋଗ ହୋଇଛି।
ଶନିବାର ସ୍କୁଲର ପ୍ରଥମ ରୁ ଅଷ୍ଟମ ଶ୍ରେଣୀର ମୋଟ ୧୭୦ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୩୫ଜଣ ଛାତ୍ରଛାତ୍ରୀ ସ୍କୁଲ ଆସିଥିବା ବେଳେ ରନ୍ଧା ଯାଇଥିବା ମଧ୍ୟାହ୍ନ ଭୋଜନ ଖାଇଥିଲେ। ମଧ୍ୟାହ୍ନ ଭୋଜନ ଖାଇ ସାରିବା ପରେ ବହୁ ଛାତ୍ରଛାତ୍ରୀ ଅସୁସ୍ଥ ଅନୁଭବ କରି ମୁଣ୍ଡ ବୁଲାଇବା ସହ ଲଗାତାର ବାନ୍ତି କରିଥିଲେ।ଏହା ଜାଣିପାରି ଅଭିଭାବକ ଓ ଗ୍ରାମବାସୀମାନେ ସ୍କୁଲରେ ପହଞ୍ଚି ଶିକ୍ଷକ ଓ ପାଚିକାମାନେ ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳ ଖେଳୁଥିବା ଅଭିଯୋଗ କରି ତୀବ୍ର ପ୍ରତିବାଦ କରିଥିଲେ।ଫଳରେ ସ୍କୁଲରେ ଉତ୍ତେଜନା ପ୍ରକାଶ ପାଇଥିଲା।ପ୍ରଥମେ ନିଜେ ଅଭିଭାବକମାନେ ଆମ୍ବୁଲାନ୍ସ ଓ ଘରୋଇ ଗାଡ଼ିରେ ୧୮ରୁ ଉର୍ଦ୍ଧ୍ବ ଗୁରୁତର ଛାତ୍ରଛାତ୍ରୀଙ୍କୁ ଟିଟିଲାଗଡ ମେଡିକାଲରେ ଭର୍ତ୍ତି କରିଥିଲେ।ପରେ ପ୍ରଶାସନ ପକ୍ଷରୁ ୫୦ରୁ ଉର୍ଦ୍ଧ୍ବ ଗୁରୁତରଙ୍କୁ ମେଡ଼ିକାଲ ପଠାଯାଇଥିଲା।ସେଠାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କ ଅବସ୍ଥା ସ୍ଥିର ଥିବା ଖବର ଲେଖା ସୁଦ୍ଧା ଜଣାପଡିଛି।
ମୁରିବାହାଲ ସିଏଚସିରୁ ମଧ୍ୟ ଏକ ମେଡ଼ିକାଲ ଟିମ୍ ସ୍କୁଲକୁ ପହଞ୍ଚି ୧୪ ଜଣ ଅସୁସ୍ଥ ଅନୁଭବ କରୁଥିବା ଛାତ୍ରଛାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା କରିଥିଲେ।ଏ ସମ୍ପର୍କରେ ଡେଙ୍ଗପଦର ୟୁପି ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଗୀତା ମହାଦୀପଙ୍କୁ ପଚାରିବାରୁ ଛାତ୍ରଛାତ୍ରୀ ଅସୁସ୍ଥ ଅନୁଭବ କରିବା ପରେ ପାଚିକାଙ୍କୁ ପଚାରିବାରୁ ସେ ଅଣ୍ଡା ତରକାରୀରେ ହଳଦୀ ବଦଳରେ ସର୍ଫ ପାଉଡର ପକାଇଦେଇଥିବା ସ୍ବୀକାର କରିଛନ୍ତି ବୋଲି ପ୍ରକାଶ କରିଥିଲେ।ଖବର ପାଇ ଟିଟିଲାଗଡ ଉପଜିଲ୍ଲାପାଳ ରେହାନ ଖେତ୍ରି ଓ ମୁରିବାହାଲ ତହସିଲଦାର ଜଗଦୀଶ କର୍ତ୍ତାମି ମେଡିକାଲ ପହଞ୍ଚି ଛାତ୍ରଛାତ୍ରୀଙ୍କ ଚିକିତ୍ସା ବ୍ୟବସ୍ଥା ତଦାରଖ କରିଥିଲେ।
ମେଡିକାଲରେ ଏଡିଏମଓ ଡ ପ୍ରଦୀପ୍ତ କୁମାର ନାୟକ ଓ ଶିଶୁରୋଗ ବିଶେଷଜ୍ଞ ଡ ଗୋପବନ୍ଧୁ ସାହୁ ଛାତ୍ରଛାତ୍ରୀଙ୍କ ଚିକିତ୍ସା କରିଥିବା ବେଳେ ଟିଟିଲାଗଡ ଥାନା ଆଇଆଇସି ବିଶ୍ୱଜିତ ମନବୋଧ ମଧ୍ୟ ଉପସ୍ଥିତ ଥିଲେ।ଖବର ପାଇ ମୁରିବାହାଲ ବିଇଓ ଶାନ୍ତନୁ କୁମାର ପଢ଼ିହାରୀ,ଥାନା ଆଇଆଇସି ସିପୋରା ସରାୟ ଲୁଗୁନ,ଏଇବିିଓ , ସିଆରସିସି ଲକ୍ଷପତି ହରପାଲ ପ୍ରମୁଖ ସ୍କୁଲରେ ପହଞ୍ଚି ଛାତ୍ରଛାତ୍ରୀଙ୍କ ଚିକିତ୍ସା ବ୍ୟବସ୍ଥା ତଦାରଖ କରିବା ସହ ଉତ୍ତ୍ୟକ୍ତ ଅଭିଭାବକ ଓ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ।ପାଚିକା ଓ ଶିକ୍ଷକଶିକ୍ଷୟିତ୍ରୀଙ୍କ ଦାୟିତ୍ୱହୀନତା ଯୋଗୁଁ ଏଭଳି ଗୁରୁତର ପରିସ୍ଥିତି ଉପୁଜିଥିବା ଅଭିଭାବକ ତଥା ଆଇନଜିବୀ ରଏବାରୁ ପୁଟେଲ ଅଭିଯୋଗ କରିଛନ୍ତି।