ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୁଷୋତ୍ତମପୁର, (୨୫/୦୫) : ଗଞ୍ଜାମ ଜିଲ୍ଲାର ଅଧୂଷ୍ଠାତ୍ରୀ ଦେବୀ ମା’ତାରାତାରିଣୀ ଙ୍କ ପୀଠର ଉନ୍ନତିକରଣ ପାଇଁ ରାଜ୍ୟ ସରକାର ସମସ୍ତ ପଦକ୍ଷେପ ନେଉଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହେବାରେ ବହୁ ବର୍ଷ ଲାଗି ଯାଉଛି ।
ମା’ଙ୍କ ନୂତନ ମନ୍ଦିର ହେଉ କିମ୍ବା ଅନ୍ୟନ୍ୟ ଉନ୍ନୟନମୂଳକ କାର୍ଯ୍ୟ। ସବୁ କାର୍ଯ୍ୟ ବହୁ ବିଳମ୍ବରେ ହେଉଛି । ନୂତନ ମନ୍ଦିର ତିଆରି ପାଇଁ ଦୀର୍ଘ ୧୮ ବର୍ଷ ସମୟ ଲାଗି ଯାଇଥିବା ବେଳେ ଅନ୍ୟାନ୍ୟ କାମ ପାଇଁ ମଧ୍ୟ ସମୟ ଅତିବାହିତ ହୋଇଯାଉଛି । ଏହି ମନ୍ଦିରର ଉନ୍ନୟନ କାର୍ଯ୍ୟ ଆରମ୍ଭର ପରେ ହୋଇଥିବା ଅନ୍ୟ ମନ୍ଦିରର ରୂପାନ୍ତରିତ କାର୍ଯ୍ୟ ଓ ମନ୍ଦିରର ଉନ୍ନୟନ କାର୍ଯ୍ୟ ସରି ଯାଉଥିବା ବେଳେ ଏହି ପୀଠର କାମ କିନ୍ତୁ ବହୁ ବିଳମ୍ବରେ ଚାଲିଥିବା ଅଭିଯୋଗ ହେଉଛି । ଏହି ପୀଠକୁ ମା’ଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ଏବେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ବର୍ତ୍ତମାନ ପ୍ରଚଣ୍ଡ ରୌଦ୍ର ତାପ ଅନୁଭୂତ ହେଉଥିବା ବେଳେ ଲୋକେ ମନ୍ଦିର ଆଗରେ କିମ୍ବା ପଛରେ ଜୋତା ରଖ୍ ଖାଲି ପାଦରେ ଭିତରକୁ ଯିବା କଷ୍ଟକର ହୋଇପଡ଼ୁଛି ।
ପଥରଗୁଡିକ ଉତ୍ତପ୍ତ ହେଉଥିବାରୁ ଅସହ୍ୟ ତାତିରେ ଚାଲି ଚାଲି ଯିବା ଭକ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଗୋଡ ଫୁଲିଯିବା ସହ ପାଦ ଫୋଟକା ହୋଇ ଯାଉଥିବା ବହୁ ଭକ୍ତ ଅଭିଯୋଗ କରିଛନ୍ତି । ବିଶେଷ କରି ୮ରୁ ୧୦ ବର୍ଷର ପିଲାମାନେ ସେହି ଉତ୍ତପ୍ତ ରାସ୍ତାରେ ଯିବା ସମ୍ଭବପର ହେଉନାହିଁ । ଖରା ଓ ଗରମରୁ ନିସ୍ତାର ପାଇଁ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିବାରୁ ଭକ୍ତଙ୍କ ମନରେ ପ୍ରବଳ ଅସନ୍ତୋଷ ଦେଖୁବାକୁ ମିଳିଛି । ଭକ୍ତଙ୍କ କହିବା କଥା ଖାଲି ଚୈତ୍ର ମାସ ନୁହେଁ, ସବୁଦିନ ପାଇଁ ଛାମୁଟିଆ ବ୍ୟବସ୍ଥା ସହ ପଥର ଉପରେ କାର୍ପେଟ ବିଛାଗଲେ ସୁବିଧାରେ ମା’ଙ୍କ ଦର୍ଶନ ସହ ଖରା ଦାଉରୁ ରକ୍ଷା ମିଳିପାରନ୍ତା ବୋଲି ଭକ୍ତମାନେ କହିଛନ୍ତି ।