ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୧୮/୦୮) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ବାବୁପାଲି ପଞ୍ଚାୟତ ଅନ୍ତର୍ଗତ ତିଲେଇମାଲ ଗାଁ’ରେ ବଜ୍ରପାତ ଯୋଗୁଁ ଜଣେ କୃଷି ଶ୍ରମିକର ମୃତ୍ୟୁ ହୋଇଯାଇଛି ।
ମିଳିଥିବା ସୂଚନା ମୁତାବକ ରବିବାର ତିଲେଇମାଲ ଗାଁ’ର ହିମାଂଶୁ ମହାନନ୍ଦ (୫୨ ବର୍ଷ) ଧାନ ତଳି ରୁଆ କାର୍ଯ୍ୟ ପାଇଁ ଧାନବିଲ କୁ ଯାଇଥିଲେ । ପ୍ରାୟ ଦିନ ୨ଟା ବେଳେ ବଜ୍ରପାତ ସହ ବର୍ଷା ହେଉଥିବା ସମୟରେ ବଜ୍ରପାତ ଯୋଗୁଁ ସେ ଗୁରୁତର ହୋଇପଡିଥିଲେ । ସେଠାରେ ଥିବା ଅନ୍ୟ ଶ୍ରମିକମାନେ ତାଙ୍କୁ ତୁରନ୍ତ ଗାଁ କୁ ଆଣି ଆମ୍ବୁଲାନ୍ସ ଯୋଗେ ବିନିକା ଡାକ୍ତରଖାନା କୁ ନେଇଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ଦେଖି ମୃତ ଘୋଷଣା କରିଥିଲେ । ମୃତ ହିମାଂଶୁ ଅନ୍ୟ ମାନଙ୍କ ନିକଟରେ କାମ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ତାଙ୍କ ବିୟୋଗରେ ପତ୍ନୀ ଓ ଦୁଇଟି ପୁଅଝିଅ ବେସାହାରା ହୋଇ ପଡିଛନ୍ତି । ତେଣୁ ତାଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହେଉଛି ।