ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନବରଙ୍ଗପୁର, (୨୭/୧୨) : ତିନି ଦିନ ହେଲା ନିଖୋଜ ଥିବା ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ASI ରେଣୁପ୍ରସାଦ ପ୍ରଧାନଙ୍କ ଝୁଲନ୍ତା ମୃତଦେହକୁ ଆଜି ସନ୍ଧ୍ୟାରେ ଉଦ୍ଧାର କରାଯାଇଛି ।
ତେନ୍ତୁଳିଖୁଣ୍ଟି ଥାନା ମଙ୍ଗରଦୋରା ନିକଟସ୍ଥ ରାଇସିଂ ଯୋଡ଼ି ନାଳ ନିକଟରେ ଥିବା ଏକ ଗଛରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ଆସନ୍ତାକାଲି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ଶବ ବ୍ୟବଚ୍ଛେଦ କରାଯିବ । ଗତ ସୋମବାର ASI ରେଣୁପ୍ରସାଦ ପ୍ରଧାନ କୌଣସି କାର୍ଯ୍ୟରେ ନବରଙ୍ଗପୁର ଯାଇଥିଲେ । ଏହା ପରଠୁ ସେ ଆଉ ଘରକୁ ଫେରି ନଥିଲେ । ଆଉ ଆଜି ତାଙ୍କ ଝୁଲନ୍ତା ମୃତଦେହ ମିଳିଛି । ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ବୋଲି ଜଣାପଡ଼ୁଥିବା ବେଳେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନି ।
ASI ରେଣୁପ୍ରସାଦ ପ୍ରଧାନଙ୍କ ଘର ପାପଡ଼ାହାଣ୍ଡି ଥାନା ତୁମ୍ବର୍ଲା ଗ୍ରାମରେ ହୋଇଥିବା ବେଳେ ସେ ତେନ୍ତୁଳିଖୁଣ୍ଟି ପୁଲିସ କଲୋନୀରେ ନିଜ ପରିବାର ସହ ରହୁଥିଲେ । ଖବର ପାଇ ତାଙ୍କର ଦୁଇ ପୁଅ ଓ ଭାଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ଶବ ବ୍ୟବଚ୍ଛେଦ ହୋଇନଥିବାରୁ ସେମାନଙ୍କୁ ମୃତଦେହ ହସ୍ତାନ୍ତର କରାଯାଇନାହିଁ । ସୂଚନାଯୋଗ୍ୟ, ଆଉ ୨ ମାସ ପରେ ଚାକିରିରୁ ଅବସର ନେଇଥା’ନ୍ତେ ଏଏସ୍ଆଇ ରେଣୁପ୍ରସାଦ ପ୍ରଧାନ ।