କେନ୍ଦୁଝର, (୦୬/୦୭) : ଆପ୍ର. : ଲଗାଣ ବର୍ଷାରେ ଧୋଇଗଲା ରାସ୍ତା । ଅସ୍ଥାୟୀ ଭାବେ ନିର୍ମିତ ଡାଇଭର୍ସନ ରାସ୍ତା ଧୋଇଯାଇଛି ।
ଫଳରେ ତେଲକୋଇ ଓ ୪୯ ନମ୍ବର ଜାତୀୟ ରାଜପଥ ଜଗମୋହନପୁର ସହିତ ଯୋଗାଯୋଗ ବିଛିନ୍ନ ହୋଇଯାଇଛି । କେନ୍ଦୁଝର ତେଲକୋଇରେ ଦୁଇ ଦିନ ହେଲା ପ୍ରବଳ ବର୍ଷା ଲାଗି ରହିଛି । ନିକଟସ୍ଥ ବାଉଁଶଯୋର ନାଳ ଦେଇ ବର୍ଷା ପାଣି ନିଷ୍କାସିତ ହେଉଛି । ତେବେ ନାଳଉପରେ ହୋଇଥିବା ଅସ୍ଥାୟୀ ରାସ୍ତା ଭାଙ୍ଗିଯିବାରୁ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗତ ୨୨ ତାରିଖରେ ଅସ୍ଥାୟୀ ପୋଲ ଭାଙ୍ଗିଯିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ତରବରିଆ ଭାବେ ଅସ୍ଥାୟୀ ପୋଲ କରିଥିଲା ଠିକାସଂସ୍ଥା । ଏହା ପୁଣି ଥରେ ଭାଙ୍ଗିଯାଇଛି । ବାରମ୍ବାର ଏଭଳି ଘଟଣା ଘଟିବାରୁ ଲୋକଙ୍କ ଯାତାୟାତ ବାଧାପ୍ରାପ୍ତ ହେଉଛି ।