ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୀ, (୦୧/୦୨) : ଆଜି ମହାପ୍ରଭୁଙ୍କ ପଦ୍ମ ବେଶ । ଦୁର୍ଲଭ ପଦ୍ମ ବେଶରେ ଝଟକିବେ ମହାବାହୁ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଏହି ବେଶକୁ ଭକ୍ତମାନେ ଦର୍ଶନ କରିବେ ।
ମାଘ ଅମାବାସ୍ୟା ପରେ ବସନ୍ତ ପଞ୍ଚମୀ ପୂର୍ବରୁ ପଡୁଥିବା ବୁଧବାର ବା ଶନିବାର ଏହି ବେଶ କରାଯାଇଥାଏ । ବର୍ଷକରେ କେବଳ ଏହି ଗୋଟିଏ ଦିନ ମହାପ୍ରଭୁ ପଦ୍ମବେଶରେ ହିଁ ପହୁଡ଼ ଯାଆନ୍ତି । ବଡ଼ସିଂହାର ବେଶ ହୁଅନ୍ତି ନାହିଁ । ପଣ୍ଡୁ ପୂର୍ଣ୍ଣିମା ଠାରୁ ପଦ୍ମ ବେଶ ନେଇ ପ୍ରସ୍ତୁତି ଆରମ୍ଭ ହୋଇଥାଏ । ବେଶ ପାଇଁ ଆବଶ୍ୟକ ଚୂଳ, ଶ୍ରୀମୁଖ ପଦ୍ମ, କର ପଲ୍ଲବ, ପଦ୍ମ କଢି, ଗଛ , ୮୦ ରୁ ଅଧିକ ସୋଲ ତିଆରି ପଦ୍ମ ଫୁଲ ପ୍ରସ୍ତୁତ ହୋଇଥାଏ।
କିମ୍ବଦନ୍ତୀ ଅନୁସାରେ ସାଧୁ ମନୋହର ଦାସ ବହୁ ଦୂରରୁ ଚାଲିଚାଲି ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲେ । କ୍ଳାନ୍ତ ହୋଇ ତୃଷାର୍ତ୍ତ ଅବସ୍ଥାରେ ପୋଖରୀ ନିକଟରେ ଅଟକିଲେ । ପୁଷ୍କରିଣୀରେ ପଦ୍ମଫୁଲ ଫୁଟିଥିବା ଦେଖି ଏସବୁ ଶ୍ରୀଜଗନ୍ନାଥଙ୍କ ଇଚ୍ଛାରେ ହୋଇଥିବା ଭାବି ସେ ପଦ୍ମଫୁଲ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୋଳିନେଲେ । ମାଘ ମାସ ଅମାବାସ୍ୟା ଦିନ ଶ୍ରୀମନ୍ଦିରରେ ପହଞ୍ଚି ଫୁଲଗୁଡ଼ିକୁ ମହାପ୍ରଭୁଙ୍କୁ ଲାଗି କରିବାକୁ ସେବକଙ୍କୁ ଅନୁରୋଧ କଲେ । କିନ୍ତୁ ମଇଳା ଗାମୁଛାରେ ବନ୍ଧା ଫୁଲମାନ ଶୁଖିଯାଇଥିବାରୁ ସେସବୁ ମହାପ୍ରଭୁଙ୍କୁ ଲାଗି କରିବାକୁ ସେବକମାନେ ମନା କରିଦେଲେ ।
ସାଧୁ ଜଣକ ଫେରି ଆସି ବଡ଼ଛତା ମଠ ନିକଟରେ ମୂର୍ଚ୍ଛା ଗଲେ । ସେଦିନ ରାତିରେ ମହାପ୍ରଭୁ ଗଜପତିଙ୍କୁ ସ୍ବପ୍ନରେ ସାଧୁ ଆଣିଥିବା ପଦ୍ମ ଫୁଲ ଲାଗି କରିବାକୁ କହିଲେ । ସେବକମାନେ ଶୁଖିଲା ଫୁଲଗୁଡ଼ିକ ଲାଗି କରିବା ପରେ ସେଗୁଡ଼ିକ ସତେଜ ହୋଇ ସଦ୍ୟ ପ୍ରସ୍ଫୁଟିତ ହୋଇଥିବା ଭଳି ଦୃଶ୍ୟମାନ ହେଲା । ଏହା ଦେଖି ସେବକମାନେ ସାଧୁ ମନୋହରଙ୍କୁ ରତ୍ନ ସିଂହାସନ ନିକଟକୁ ପାଛୋଟି ନେଲେ । ମହାପ୍ରଭୁଙ୍କୁ ପଦ୍ମବେଶରେ ଦେଖି ସାଧୁ ଜଣକ ବିମୋହିତ ହେଲେ । ଖିରି ମହାପ୍ରସାଦ ସେବନ କରି ପ୍ରସ୍ଥାନ କରିଥିଲେ । ଭକ୍ତ ପ୍ରବର ସାଧୁ ମନୋହର ଦାସଙ୍କ ଶ୍ରୀଜଗନ୍ନାଥଙ୍କୁ ପଦ୍ମ ପୁଷ୍ପ ପ୍ରଦାନର କିମ୍ବଦନ୍ତୀ ମୂଳକ ଆଖ୍ୟାନ ଅନୁକ୍ରମେ ମାଘମାସରେ ଏହି ବେଶରେ ଜଗନ୍ନାଥ ମହାପ୍ରଭୁ ସୋଲରେ ନିର୍ମିତ ପଦ୍ମ ପୁଷ୍ପ ପରିହିତ ହୋଇଥାନ୍ତି ।