ମୁନିଗୁଡ଼ା, (୨୨/୩) : ଆ.ପ୍ର. : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଅନ୍ତର୍ଗତ ଦେଓ କୁପୂଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବିଦ୍ୟାର୍ଥୀ ମାନଙ୍କୁ ମାର୍ଗଦର୍ଶନ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ।
ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ କମଳା କୁମାରୀ ବେହେରାଙ୍କ ସଭାପତିତ୍ବ ଓ ଭୀମପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର କୁରାଙ୍କ ସଂଯୋଜିତ ବାର୍ଷିକ ଉତ୍ସବ ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ କୁମୁଡାବାଲି ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଗୌରୀ ବ୍ରେଡେକା,ମୁଖ୍ୟବକ୍ତା ସ୍ତମ୍ଭକାର ମନୋରଞ୍ଜନ ଦଳାଇ,ସ୍ଵତନ୍ତ୍ର ଅତିଥି ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ସୁବାସ ଚନ୍ଦ୍ର ସିଂ,ସମ୍ମାନିତ ଅତିଥି କୁମୁଡ଼ାବାଲି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା.ରୀନା ପରିଡ଼ା,ୱାର୍ଡ ମେମ୍ବର ସାଇବାଣି କାଡ୍ରାକା, ସିଆରସିସି ଗ୍ୟାନଯ୍ୟୋତି ସ୍ବାଇଁ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବୃନ୍ଦାବନ ପିଡ଼ିକାକା, ବରିଷ୍ଠ ଶିକ୍ଷକ ଦିବାକର ବିଡିକା, ସାମ୍ବାଦିକ ସନାତନ ନାୟକ ପ୍ରମୁଖ ଉପସ୍ଥିତ ରହି ଆନୁଷ୍ଠାନିକ ରୂପେ ଅଗ୍ରପୂଜ୍ୟ ଗଜାନନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉତ୍ସବର ଶୁଭାରମ୍ଭ କରିଥିଲେ।
ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ପରିବେଷଣ ପରେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ବେହେରା ଅତିଥି ପରିଚୟ ପ୍ରଦାନ ସହିତ ବାର୍ଷିକ ବିବରଣୀ ପାଠ କରିଥିଲେ । ଅତିଥିମାନେ ଉପସ୍ଥିତ ବିଦ୍ୟାର୍ଥୀ ମାନଙ୍କ ବିଭିନ୍ନ କ୍ଷେତ୍ରରେ ଉତ୍କୃଷ୍ଟତା ପାଇଁ ସେମାନଙ୍କୁ ପ୍ରଶଂସା କରିବା ସହିତ ଶୃଙ୍ଖଳିତ ଜୀବନ ଯାପନ ଏବଂ ବଡ଼ ହେବାର ସ୍ବପ୍ନକୁ ସାକାର କରିବା ପାଇଁ ଦୃଢ ସଂକଳ୍ପ ଓ ଚରମ ଲକ୍ଷ ପ୍ରସ୍ତୁତ କରିବାକୁ ଆହ୍ଵାନ ଦେଇଥିଲେ । ମୁଖ୍ୟବକ୍ତା ଶ୍ରୀଯୁକ୍ତ ଦଳାଇ ଶୃଙ୍ଖଳା ବିନା ଶିକ୍ଷା ଦିଗହରା ସେଥିପାଇଁ ଜ୍ଞାନର ଚରମ ଲକ୍ଷ ଚରିତ୍ର ନିର୍ମାଣ ହେବା ବାଞ୍ଛନୀୟ ବୋଲି କହିଥିଲେ । ପରେ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଞ୍ଚ ଦୁଲୁକାଇ ଦେଇଥିଲେ ।
ବିଭିନ୍ନ କ୍ଷେତ୍ରରେ ବିଦ୍ୟାଳୟର ସୁନାମ ଅର୍ଜନ କରିଥିବା ଶ୍ରେଷ୍ଠ ବିଦ୍ୟାର୍ଥୀ ମାନଙ୍କୁ ବିଦ୍ୟାଳୟ ତରଫରୁ ଅତିଥିମାନେ ଫଳକ ଓ ପ୍ରମାଣ ପତ୍ର ଦେଇ ପୁରସ୍କୃତ କରିଥିଲେ।କାର୍ଯ୍ୟକ୍ରମ ପରିଚାଳନା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣରେ ବରିଷ୍ଠ ଶିକ୍ଷୟତ୍ରୀ ଶ୍ରୀମତୀ ପୁସ୍ପଶ୍ରୀ ମହାପାତ୍ର,ସହକାରୀ ଶିକ୍ଷୟତ୍ରୀ ଶ୍ରୀମତୀ ମିତାଲି ରଣା ପ୍ରମୁଖ ସହାୟତା କରିଥିଲେ । ଶେଷରେ ସଭାପତି ଶ୍ରୀମତୀ ବେହେରା ଧନ୍ୟବାଦ ଅର୍ପଣ କରିବା ସହିତ ଉତ୍ସବର ଉଦଯାପନୀ ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟରୁ ଅନେକ ଶିକ୍ଷକ, ଶିକ୍ଷୟତ୍ରୀ, ସ୍ଥାନୀୟ ଗ୍ରାମବାସୀ,ଅବିଭାବକମାନେ ଉପସ୍ଥିତ ରହି ବିଦ୍ୟାର୍ଥୀ ମାନଙ୍କୁ ଉତ୍ସାହିତ କରିଥିଲେ ।