ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୨୬/୧୨) : ଡିସେମ୍ବର ୨୬ତାରିଖ ରାୟଗଡ଼ ଜିଲ୍ଲା ଲୋକ ମହୋତ୍ସବ ଚଇତି ୨୦୨୪ ଅନୁଷ୍ଟିତ ହେବ । ଏନେଇ ଚଳଚଞ୍ଚଳ ହୋଇ ଉଠିଛି ରାୟଗଡ଼ ଜିଲ୍ଲା ।
ଜିଲ୍ଲା ପ୍ରଶାସନର ତତ୍ପରତା ଯୋଗୁଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ନବବୋଧୁ ରୂପେ ସୁସଜ୍ଜିତ ହୋଇଛି ଚଇତି ପଡ଼ିଆ। ସୁନ୍ଦର ଆଲୋକ ମାଳାରେ ଝଲସି ଉଠୁଛି ସମ୍ପୂର୍ଣ୍ଣ ରାୟଗଡା ସହର । ତତସଙ୍ଗକୁ ସହରରେ ଥିବା ପାଚେରୀ ଗୁଡ଼ିକରେ ନାନା ପ୍ରକାର ହସ୍ତକଳା ଦ୍ଵାରା ଆଙ୍କିଥିବା ଚିତ୍ର ଜିଲ୍ଲାର ସଂସ୍କୃତି, କଳା, ଓ ପରମ୍ପରାକୁ ଉଜ୍ୱିବିତ କରୁଛି । ଅନ୍ୟପଟେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ୍ ସ୍ଵାତୀ କୁମାରଙ୍କ ଦ୍ଵାରା ସହର ଟ୍ରାଫିକ ବ୍ୟବସ୍ଥା ସୁଦୃଢ଼ କରିବା ସହ ଆଇନ୍ ଶୃଙ୍ଖଳା ବ୍ୟବସ୍ଥା କଡାକଡି କରାଯିବା ନେଇ ତତ୍ପରତା ଦେଖାଇଛନ୍ତି । ସେହିଭଳି ସହରକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଦିଗରେ ପୌର ପରିଷଦ ଅଣ୍ଟା ଭିଡିଛି । ବିଦ୍ୟୁତ ବିଭାଗ ଟାଟା ପାୱାର ପକ୍ଷରୁ ବିଦ୍ୟୁତ ସେବା ଯେପରି ଅବ୍ୟାହତ ରହିବ ସେ ନେଇ ପଦକ୍ଷେପ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଜନସ୍ଵାସ୍ଥ୍ୟ ବିଭାଗ ଜନସାଧାରଣଙ୍କ ସେବାରେ ଲାଗି ପଡିଛନ୍ତି ।
ସେହିଭଳି ପୂର୍ତ୍ତି ବିଭାଗ ପକ୍ଷରୁ ମଧ୍ୟ ରାସ୍ତା ଘାଟରେ ଥିବା ଖାଲଖୋମା ଗୁଡ଼ିକୁ ସଜାଡି ସମତୁଲ କରି ଦେଇଛନ୍ତି। ଆପାତ କାଳୀନ ପରିସ୍ଥିତିରେ ଜନସାଧାରଣଙ୍କ ସେବା ଦେବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡାକ୍ତରୀ ଦଳ ଏବଂ ଏମ୍ବୁଲାନ୍ସ ବ୍ୟବସ୍ତା ମଧ୍ୟ କରଯାଇଛି। ଯୁଦ୍ଧ କାଳୀନ ଭିତ୍ତିରେ ଚାଲିଛି ଚଇତି ମଞ୍ଚ ସଜ୍ଜା। ବର୍ଷା ଯୋଗୁଁ କାର୍ଯ୍ୟରେ ଟିକେ ବାଧା ସୃଷ୍ଟି ହେଉଥିବା ସ୍ଥଳେ, କୌଣସି ପ୍ରକାର କମି ନ ରଖିବା ପାଇଁ ପୁରା ଚେଷ୍ଟା ଜାରି ରଖିଛନ୍ତି ମଞ୍ଚ କାରିଗର ।
ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ଼ କରିବା ଓ ସମସ୍ତ ପ୍ରକାର ଅସୁବିଧାକୁ ଏଡ଼ାଇବା ପାଇଁ ଅଗ୍ନିଶମ ବିଭାଗ ସଜାଗ ହୋଇ ରହିଛନ୍ତି। ଚଳିତ ବର୍ଷ ଚଇତିର ଶୁଭାରମ୍ଭ ଉତ୍ସବରେ ଓଡ଼ିଶାର ନବ ନିର୍ବାଚିତ ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝି ଯୋଗ ଦେବା ନେଇ ଏକ ପ୍ରକାର ଘୋଷଣା ହୋଇ ସାରିଥିବା ଯୋଗୁଁ ବିଜେପି ଶିବିର ଓ ଦଳୀୟ କର୍ମୀମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ରାୟଗଡା ଜିଲ୍ଲା ପ୍ରଶାସନର ସମସ୍ତ କର୍ମଚାରି ଅଧିକାରୀ ଜିଲ୍ଲାର ଏହି ଚଇତି ମହୋତ୍ସବକୁ ଶୃଙ୍ଖଳିତ ଏବଂ ମହା ଆଡ଼ମ୍ବରରେ ପାଳନ କରିବା ନିମନ୍ତେ ସଜାଗ ହୋଇ ରହିଛନ୍ତି। ସେହିଭଳି ସମସ୍ତ ରାଜନୈତିକ ଦଳ ଏବଂ ବିଭିନ୍ନ ସଙ୍ଗଠନ, NCC ଛାତ୍ର-ଛାତ୍ରୀ, ରେଡକ୍ରସ, ମହିଳା ସଂଗଠନ, ସ୍କୁଲ କଲେଜ ଛାତ୍ର ଛାତ୍ରୀ, ସାମାଜିକ କର୍ମକର୍ତ୍ତା ଏବଂ ସାମ୍ବାଦିକ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଓ ଆଗ୍ରହ ଦେଖିବାକୁ ମିଳିଛି। ଜିଲ୍ଲାପାଳ ରାୟଗଡା ପାରୁଲ ପଟୱାରି ଚଇତି ପଡିଆର ଅନୁଧ୍ୟାନ କରିବା ସହ ଜିଲ୍ଲା ବାସୀଙ୍କୁ ଚଇତି ମହୋତ୍ସବ ୨୦୨୪ରେ ଅଧିକରୁ ଅଧିକ ସଂଖ୍ୟାରେ ଯୋଗ ଦାନ କରି ପାଞ୍ଚ ଦିନ ବ୍ୟାପି ପାଳିତ ହେଉଥିବା ଏହି ଚଇତି ମହୋତ୍ସବକୁ ଉପଭୋଗ କରନ୍ତୁ ବୋଲି ଜିଲ୍ଲା ବାସୀଙ୍କୁ ଅନୁରୋଧ କରିଛନ୍ତି ।