ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୧୫/୦୧) : ଆଜି ହେଉଛି ମକର ସଂକ୍ରାନ୍ତି। ସେଥିପାଇଁ ଚଳଚଞ୍ଚଳ ପୂରପଲ୍ଲୀ। ଏପରିସ୍ଥିତିରେ କଟକ ଜିଲ୍ଲା ବାଙ୍କୀ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଝୁଲି ପଡ଼ିଲେ ପ୍ରେମୀ ଯୁଗଳ !
ବାହା ହୋଇ ଘର ସଂସାର କରିବା ପାଇଁ ସ୍ୱପ୍ନ ଦେଖୁଥିବା ପ୍ରେମୀ ଯୁଗଳ ନିଜ ନିଜ ଘରେ ଝୁଲି ପଡ଼ିଥିବା ଅଭିଯୋଗ ହୋଇଛି। ହେଲେ ଆତ୍ମହତ୍ୟାର କାରଣ ଜଣାପଡ଼ି ନାହିଁ। ପୁଲିସ୍ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି । ବାଙ୍କୀ ଥାନା ଅନ୍ତର୍ଗତ ଅନୁଆରୀ ପଞ୍ଚାୟତ କୁରୁମଚଇନି ଗାଁର ରଞ୍ଜନ ସେଠ ବାଇଗଣୀ ଗ୍ରାମ କଲ୍ୟାଣୀ ମାଝୀଙ୍କୁ ପ୍ରେମ କରୁଥିଲେ। କଲ୍ୟାଣୀ ମଧ୍ୟ ରଞ୍ଜନଙ୍କୁ ଭଲ ପାଉଥିଲେ । ଉଭୟ ବାହା ହେବା ପାଇଁ କେତେ ସପନ ଦେଖୁଥିଲେ । ତେବେ ହଠାତ୍ କଣ ହେଲା ଉଭୟ ଆତ୍ମହତ୍ୟା ପରି ଚରମ ନିଷ୍ପତ୍ତି ନେଲେ ।
ରଞ୍ଜନ ଓ କଲ୍ୟାଣୀ ନିଜ ନିଜ ଘରେ ଝୁଲି ପଡ଼ିଥିବା ଅଭିଯୋଗ ହୋଇଛି । ଆଜି ସକାଳେ ଉଭୟଙ୍କୁ ପରିବାର ଲୋକେ ଉଦ୍ଧାର କରି ବାଙ୍କୀ ମେଡିକାଲ୍ରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ଆତ୍ମହତ୍ୟାର କାରଣ ଖୋଜୁଛି । ସେପଟେ ମୃତ ପ୍ରେମୀ ଯୁଗଳଙ୍କ ପରିବାର ଲୋକେ ଏ ସମ୍ପର୍କରେ ମୁହଁ ଖୋଲୁନାହାନ୍ତି ।