ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୟୁରଭଞ୍ଜ, (୨୭/୦୫) : ନିଶାଶକ୍ତ ଅବସ୍ଥାରେ ଝିଅ ଆଗରେ ମାଆର ତଣ୍ଟି ଚିପି ହତ୍ୟା କଲେ ବାପା ଓ ମାମୁଁ । କାଳ ହେଲା ନିଶା ।ନିଶାରେ ମଣିଷ କ’ଣ କରେ ତାହା ସେ ନିଜେ ବି ଜାଣିନଥାଏ ।
ମଦ ପିଇ ନିଶାରେ ସାମାନ୍ୟ ବଚସାକୁ ନେଇ ଏ ମଦୁଆ ନିଜ ହାତରେ ଚୁନା କରିଦେଲା ସୁନା ସଂସାର । ପିଶାଚ ସାଜିଲା ସ୍ୱାମୀ ,ସାତ ଦୀପ ଆଠ କଳସ ସବୁ ହେଲା ପର । ପାରିବାରିକ କଳହକୁ ନେଇ ସ୍ବାମୀ ମାଡରେ ସ୍ତ୍ରୀର ମୃତ୍ୟୁ ହୋଇଛି । ଏପରି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲାରେ । ସୂଚନା ଅନୁଯାୟୀ,ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ନବୀନ ମୁନ୍ଧାକୋଟା ଗ୍ରାମରେ ଶୁକ୍ରବାର ରାତିରେ ସ୍ୱାମୀ ବିବେକ ମହାନ୍ତ ଓ ଶଳା ମୃତୁଞ୍ଜୟ ମହାନ୍ତ ଦୁହେଁ ମଦ୍ୟପାନ କରି ଘରକୁ ଫେରି ସ୍ତ୍ରୀ ସହିତ ଖାଇବାକୁ ନେଇ ଯୁକ୍ତି ତର୍କ ହେବାରୁ ସ୍ୱାମୀ ବିବେକ ମହାନ୍ତ ଓ ଶଳା ମୃତୁଞ୍ଜୟ ମହାନ୍ତ ଦୁହେଁ ମିଶି ସ୍ତ୍ରୀର ତଣ୍ଡି ଚିପି ହତ୍ୟା କରିଥିବା ସ୍ୱୀକାର କରିଛନ୍ତି । ମା ଙ୍କୁ ବିଭିନ୍ନ ସମୟରେ ମାର ପିଟି ବାପା କରନ୍ତି ବୋଲି ତାଙ୍କ ଝିଅ କହିଛନ୍ତି । ଶୁକ୍ରବାର ଝିଅ ଆଗରେ ମା ର ତଣ୍ଟି ଚିପି ହତ୍ୟା କରିଛନ୍ତି । ଛୋଟ ଝିଅଟି ଅବା କଣ କରିପାରିବ ।
ତାଙ୍କର ୫ ମାସର ଝିଅ ଓ ଅନ୍ୟଟି ୫ ବର୍ଷର ଥିବା ବେଳେ ସେମାନେ ଏବେ ମା ଛେଉଣ୍ଡ ହେଇ ଯାଇଛନ୍ତି । ସେମାନଙ୍କୁ କିଏ ଦେବ ମାର ମମତା । ତେବେ ଝାରପୋଖରିଆ ପୋଲିସ କୌଣସି ସୂତ୍ରରୁ ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚି ବିବେକ ମହାନ୍ତ ଓ ତାଙ୍କ ଶଳା ମୃତୁଞ୍ଜୟ ମହାନ୍ତଙ୍କୁ ଅଟକ ରଖି ତଦନ୍ତ କରୁଛି । ଅନ୍ୟ ପଟେ ପୋଲିସ ବାପ ଘର ଲୋକଙ୍କୁ ଖବର ଦେବାପରେ ବାପ ଘର ଲୋକ ପହଞ୍ଚି ଝାରପୋଖରିଆ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ଡାକ୍ତରଖାନାକୁ ପଠେଇଛି ।