ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲିଗୁଡା , (୨୫/୦୨) : ମଦ ଗଞ୍ଜେଇ ପିଇବା ପାଇଁ ରାତିରେ ମୁଖା ପିନ୍ଧି କରୁଥିଲେ ଲୁଟ । ହେଲେ ଚୋର ଘର କେତେ ଦିନ ବା ଅନ୍ଧାର ରହିବ! କେବେ ନା କେବେ ତ ସତ ସାମ୍ନାକୁ ଆସିବ ।
ଯାହା ଆଜି ପ୍ରମାଣ ହୋଇଯାଇଛି । ବାଲିଗୁଡା ସହରରେ ଗତ କିଛି ଦିନ ହେବ ଆତଙ୍କ ଖେଳେଇଥିବା ଦୁଇ ମୁଖାଧାରୀ ଲୁଟେରାକୁ ବାନ୍ଧିଛି ବାଲିଗୁଡା ପୋଲିସ । ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ବାଲିଗୁଡା ହାଟପଦା ସାହିର ରିଙ୍କୁ ନାୟକ ଓ କାଳିଆ ଦିଗାଲ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବାଲିଗୁଡା ଏସଡ଼ିପିଓ ରମେନ୍ଦ୍ର ପ୍ରସାଦ ।
ଗତ କିଛି ଦିନ ହେବ ବାଲିଗୁଡା ସହରରେ ଖୁବ ଆତଙ୍କ ଖେଳାଉଥିଲେ ଦୁଇ ମୁଖାଧାରୀ ଲୁଟେରା । ତେବେ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଦୁଇ ଚୋର କେବଳ ମଦ ପିଇବା ଓ ଗଞ୍ଜେଇ ଟାଣିବା ପାଇଁ ଚୋରି କରୁଥିଲେ । ଏଥିପାଇଁ ବିଭିନ୍ନ ଦୋକାନକୁ କରୁଥିଲେ ଟାର୍ଗେଟ । ଆଉ ରାତି ହେଲେ ମୁଖା ପିନ୍ଧି ବାହାରିପଡ଼ୁଥିଲେ ଲୁଟ କରିବା ପାଇଁ । ଲୁହା ରଡ଼ ବ୍ୟବହାର କରି ଦୋକାନରୁ ତାଲା ଭାଙ୍ଗି କରୁଥିଲେ ଲୁଟ ।
ତେବେ ଗତ ୧୫ ତାରିଖ ରାତ୍ରି ପ୍ରାୟ ୨ଟା ସମୟରେ ମାସ୍କ ପିନ୍ଧି ଲୁହା ରଡ଼ରେ ଏକ ମେଡ଼ିସିନ ଷ୍ଟୋରର ତାଲା ଭାଙ୍ଗି ନଗଦ ୧୩ ହଜାର ଟଙ୍କା, ସ୍ମାର୍ଟ ୱାଚ ଓ ମୋବାଇଲ ଚାର୍ଜର ଚୋରି କରିଥିଲେ ଏହି ଦୁଇ ଅଭିଯୁକ୍ତ । ଆଉ ଏହି ଚୋରିର ସମସ୍ତ ଦୃଶ୍ୟ କଏଦ ହୋଇଥିଲା ସିସିଟିଭିରେ । ଯାହାପରେ ମେଡ଼ିସିନ ଷ୍ଟୋର ମାଲିକ ବାଲିଗୁଡା ଥାନାରେ ଲିଖିତ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା ବାଲିଗୁଡା ପୋଲିସ ।
ବାଲିଗୁଡା ସହରର ବିଭିନ୍ନ ସ୍ଥାନରେ ଛାନଭିନ୍ କରିବା ସହ ସିସିଟିଭି ଆଧାରରେ ଦୁଇ ମୁଖାଧାରୀ ଚୋରକୁ ଧରିବା ପାଇଁ ପୋଲିସ ଅନେକ ଦିନ ହେବ ପ୍ରୟାସ ଜାରୀ ରଖିଥିଲା । ବାଲିଗୁଡା ସହରର ମୁଖ୍ୟ ବଜାର ରାସ୍ତା ପାର୍ଶ୍ୱରୁ ଚୋରି ହେବା ପରେ ଘଟଣାକୁ ଗୁରୁତର ଭାବେ ନେଇଥିଲା ବାଲିଗୁଡା ପୋଲିସ । ଏପରିକି ପୋଲିସ ପେଟ୍ରୋଲିଙ୍ଗକୁ ଅଧିକ କଡାକଡି କରିବା ପାଇଁ ମଧ୍ୟ ସହରବାସୀ ଦାବି କରିଥିଲେ । ଏନେଇ ପୋଲିସର ମାରାଥନ ତଦନ୍ତ ପରେ ଦୁଇ ଚୋରକୁ ଗିରଫ କରିବାରେ ସଫଳ ହୋଇଛି ବାଲିଗୁଡା ପୋଲିସ ।
ଗିରଫ କରିବା ପରେ ପୋଲିସ ଚୋରି ପାଇଁ ବ୍ୟବହୃତ ଲୁହା ରଡ଼, ନଗଦ ୨ ହଜାର ଟଙ୍କା, ସ୍ମାର୍ଟ ୱାଚ ଓ ମୋବାଇଲ ଚାର୍ଜର ଜବତ କରିଛି । ଏଥିସହ ଗିରଫ ଦୁଇ ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ମଧ୍ୟ ଚୋରି ନେଇ ଏକାଧିକ ମାମଲା ରହିଥିବା ଜଣାପଡିଛି । ମଦ ପିଇବା ସହ ଗଂଜେଇ ପାଇଁ ଦୁଇ ଅଭିଯୁକ୍ତ ଚୋରି କରୁଥିବା ଜଣାପଡିଛି । ଦୁଇ ଅଭିଯୁକ୍ତ ରିଙ୍କୁ ନାୟକ ଓ କାଳିଆ ଦିଗାଲକୁ ଗିରଫ ପରେ ଏବେ କୋର୍ଟ ଚାଲାଣ କରିଛି ପୋଲିସ । ଚୋରମାନେ ଚୋରି କରିବା ପାଇଁ ବିଭିନ୍ନ ଉପାୟ ଆପଣାନ୍ତି । କିନ୍ତୁ କେବଳ ନିଶା କରିବା ପାଇଁ ଏଭଳି କାଣ୍ଡ କରିବା ଖୁବ ଲଜ୍ୟାଜନକ । ସତରେ ନିଶାର ଅଭ୍ୟାସ ଲାଗିଲେ ମଣିଷ କିଛି ବି କରିପାରେ । ଯାହାର ଜ୍ୱଳନ୍ତ ଉଦାହରଣ ଏହି ଘଟଣାରୁ ପ୍ରକାଶ ପାଉଛି ।