ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୧୫/୨) : ଆଜି ଗୁଣପୁର ସହରର ଦେଓ ନଗର ଠାରେ ନୃତ୍ୟଶ୍ରୀ କଳାକେନ୍ଦ୍ରର ଶୁଭ ଉଦ୍ଘାଟନ ହୋଇଯାଇଛି ।
ଗୁରୁ ରିନା ରାଣୀ ସାହୁଙ୍କ ପ୍ରଚେଷ୍ଟା ବଳରେ ଛାତ୍ରଛାତ୍ରୀ ମାନେ ଏଠାରେ ଓଡିଶୀ ନୃତ୍ୟ ସହ କ୍ଲାସିକାଲ , ସେମି କ୍ଲାସିକାଲ ଓ ଆଧୁନିକ ନୃତ୍ୟ ଶିକ୍ଷା କରିପାରିବେ । କଳା ଓ ସଂସ୍କୃତିର ରାଜ୍ୟ ଓଡିଶା , ତାର ଓଡିଶୀ ନୃତ୍ୟ ପାଇଁ ସାରା ବିଶ୍ବରେ ପରିଚିତ । ସେଭଳି ଏକ ବିଶ୍ଵ ପ୍ରସିଦ୍ଧ ଓଡିଶୀ ନୃତ୍ୟ କଳାକୁ ଗୁଣପୁର ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଛାତ୍ରଛାତ୍ରୀ ଙ୍କୁ ଶିକ୍ଷା ଦେଇ ସେମାନଙ୍କ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ପ୍ରୟାସ କରିଛନ୍ତି ଗୁରୁ ରିନା ରାଣୀ ସାହୁ । ଦୀର୍ଘ ବର୍ଷ ହେଲା ଓଡ଼ିଶୀ ନୃତ୍ୟ ସାଧନା କରି ଗୁରୁ ରିନା ରାଣୀ ଗିନିସ ୱ।ରଳ୍ଡ ରେକର୍ଡ଼ – ୨୦୧୧ , ଲଣ୍ଡନ ବୁକ୍ ଅଫ୍ ୱ।ରଳ୍ଡ ରେକର୍ଡ଼, ମହିଳା ଆଇକନ ପୁରସ୍କାର , ଗୁରୁ ସମ୍ମାନ ପୁରସ୍କାର ଭଳି ବହୁ ଜାତୀୟ ଓ ଅର୍ନ୍ତଜାତୀୟ ପୁରସ୍କାରରେ ସମ୍ମାନିତ ହୋଇ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।
ପୂର୍ବରୁ ସେ କୁନିକୁନି ପିଲାଙ୍କୁ ଓଡିଶୀ ସହ ବିଭିନ୍ନ ଲୋକନୃତ୍ୟ ଶିକ୍ଷା ଦେଉଥିଲେ ଏବଂ ସେହି ପିଲାମାନେ ପୂରୀ , ଭୂବନେଶ୍ଵର , ବ୍ରହ୍ମପୁର ଭଳି ସହରର ବିଭିନ୍ନ କଳା କେନ୍ଦ୍ର ଓ ମହୋତ୍ସବ ମାନଙ୍କରେ ନୃତ୍ୟ ପରିବେଷଣ କରି ପୁରସ୍କୃତ ହୋଇଥିବା ସୂଚନା ମିଳିଛି । ବର୍ତମାନ ଗୁଣପୁର ଦେଓ ନଗର ଠାରେ ସ୍ବତନ୍ତ୍ର ଭାବେ ନୃତ୍ୟଶ୍ରୀ କଳାକେନ୍ଦ୍ର ନାମରେ ଏକ ନୃତ୍ୟ ଅନୁଷ୍ଠାନ ପ୍ରତିଷ୍ଠା କରି ଛାତ୍ରଛାତ୍ରୀ ମାନଙ୍କୁ ଓଡିଶୀ ନୃତ୍ୟ ସହ ବିଭିନ୍ନ ପ୍ରକାରର ଲୋକନୃତ୍ୟ ଶିକ୍ଷା ଦେବାର ପ୍ରୟାସ କରିଛନ୍ତି ।
ଏଭଳି ଏକ ଅନୁଷ୍ଠାନ ଗୁଣପୁର ଭଳି ସହରରେ ହୋଇଥିବାରୁ ଅଭିଭାବକ ମାନେ ଉତ୍ସାହର ସହ ନିଜ ପିଲାମାନଙ୍କୁ ନୃତ୍ୟଶ୍ରୀ କଳାକେନ୍ଦ୍ରକୁ ନୃତ୍ୟ ଶିକ୍ଷା ପାଇଁ ଛାଡୁଥିବା ଦେଖିବାକୁ ମିଳିଛି । ଗୁଣପୁର ଏକ କଳା ଓ ସଂସ୍କୃତିର ସହର ହୋଇଥିବାରୁ ଗୁରୁ ରିନା ରାଣୀ ସାହୁ ଙ୍କ ଏଭଳି ପ୍ରୟାସ ସତରେ ପ୍ରଶଂସନୀୟ ।