ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୀ, (୨୪/୦୨) : ଆଜି ପଙ୍କୋଦ୍ଧାର ଏକାଦଶୀ ପାଇଁ ପୁରୀରେ ଅବସ୍ଥିତ ପ୍ରଭୁ ଲୋକନାଥଙ୍କ ମନ୍ଦିର ଚଳଚଞ୍ଚଳ ହୋଇପଡ଼ିଛି । ସକାଳୁ ସକାଳୁ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି ।
ମନ୍ଦିର ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପ୍ରଭୁ ଲୋକନାଥଙ୍କୁ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତ ଉତ୍କଣ୍ଠାରେ ଅପେକ୍ଷା କରି ରହିଛନ୍ତି । ପ୍ରତିବର୍ଷର ଏହି ଗୋଟିଏ ଦିନ ପଙ୍କୋଦ୍ଧାର ଏକାଦଶୀରେ ପ୍ରଭୁ ଲୋକନାଥ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ବର୍ଷ ସାରା ପ୍ରଭୁଙ୍କ ଉପରେ ଭକ୍ତ ଦେଉଥିବା ବେଲପତ୍ର ଏବଂ ଫୁଲରେ ପ୍ରଭୁ ଘୋଡେଇ ହୋଇ ରହିଥାନ୍ତି ତେଣୁ ଦର୍ଶନ ସମ୍ଭବ ହୋଇନଥାଏ ।
ଆଜିର ଦିନ ବା ପଙ୍କୋଦ୍ଧାର ଏକାଦଶୀରେ ପ୍ରଭୁଙ୍କ ଉପରୁ ବର୍ଷ ତମାମ ପଡ଼ି ରହିଥିବା ବେଲ ପତ୍ର, ଫୁଲ କଡା ଯାଏ। ଏଣୁ ପଙ୍କୋଦ୍ଧାର ଏକାଦଶୀରେ ପ୍ରଭୁ ଲୋକନାଥଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ଭିଡ ହୋଇଥାଏ। ଏହି ଅବସରରେ ପ୍ରଭୁ ଲୋକନାଥ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ । ଏକାଦଶୀ ତିଥିରେ ଭକ୍ତମାନେ ଶ୍ରୀଲୋକନାଥଙ୍କ ଶକ୍ତିକୁ ଦର୍ଶନ କରି ଅପାର କରୁଣା ଲାଭ କରିବା ସହ ଦୁରାରୋଗ୍ୟ ବ୍ୟାଧିରୁ ରକ୍ଷା ପାଆନ୍ତି ବୋଲି ଧର୍ମ ବିଶ୍ୱାସ ରହିଛି ।