ବାରଙ୍ଗ, (୨୭/୦୬) : ଆପ୍ର. : ପାଣିରେ ଭାସୁଛି ଗାଁ । ଅସରାଏ ବର୍ଷା ହେଲେ ଗାଁ ଏକ ପ୍ରକାର ଜଳବନ୍ଦୀ ହୋଇଯାଉଛି । ଏହା କେଉଁ ଉପାନ୍ତ ଅଞ୍ଚଳ କଥା କହୁନାହୁଁ, ଟ୍ଵିନ୍ ସିଟି ମଧ୍ୟରେ ଥିବା ବାରଙ୍ଗ ଅଞ୍ଚଳ କଥା ।
ବାରଙ୍ଗ ବ୍ଲକର ଫୁଲପୋଖୋରୀ ଗ୍ରାମରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି । ବର୍ଷାଦିନ ଆସିଲେ ସାମାନ୍ୟ ବର୍ଷାରେ ଗ୍ରାମ ଜଳମଗ୍ନ ହୋଇଯାଉଛି । ଜଳ ନିଷ୍କାସନ ପାଇଁ ମଧ୍ୟ ବାଟ ନାହିଁ । ସେପଟେ ମୁଖ୍ୟ ସମସ୍ୟା ହେଉଛି ଗ୍ରାମର ଶେଷ ମୁଣ୍ଡରେ ଥିବା ବିଦ୍ୟାଳୟକୁ ଯିବା ବାଟରେ ଅଣ୍ଠୁଏ ଉଚ୍ଚର ବର୍ଷାଜଳ ଜମି ରହିଛି । ଫଳରେ ବିଦ୍ୟାଳୟର କୁନି କୁନି ପିଲା ଏହି ବର୍ଷାଜଳ ମଧ୍ୟରେ ପ୍ରବେଶ କରି ପାଠ ପଢ଼ିବାକୁ ଯାଉଛନ୍ତି । ଯାହା ଫଳରେ ଅନେକ ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟ ସମସ୍ୟା ଦେଖା ଦେଇଥିବା ଅଭିଭାବକ ମାନେ ଅଭିଯୋଗ କରିଛନ୍ତି । ନିଜ ପିଲା ମାନଙ୍କୁ ବିଦ୍ୟାଳୟ ଛାଡ଼ିବେ ନାହିଁ ବୋଲି କହିଛନ୍ତି।
ଦୀର୍ଘ ବର୍ଷ ହେବ ଏହି ଗ୍ରାମରେ ଜଳବନ୍ଦୀ ସମସ୍ୟା ଲାଗିରହିଛି । ସାମାନ୍ୟ ବର୍ଷା ହେଲେ ଗ୍ରାମରେ ବର୍ଷା ଜଳ ଲହଡ଼ି ମାରୁଛି । ଏହାର ମୁଖ୍ୟ କାରଣ ହେଉଛି ଦୃତ ସହରୀକରଣ । ଅର୍ଥାତ୍ ବାରଙ୍ଗ ଓ ଆଖପାଖ ଅଞ୍ଚଳରେ ଜମି ମାଫିଆ ମାନେ ସାଧାରଣ ନିରୀହ ଲୋକଙ୍କୁ ହାତବାରିଶି କରି ତାଙ୍କ ଠାରୁ ଶାଗମାଛ ଦରରେ ମୂଲ୍ୟବାନ ଜାଣି କିଣିନେଇ ବିଲଡର ମାନଙ୍କୁ ବିକ୍ରି କରି ଦେଉଛନ୍ତି । ଉକ୍ତ ବିଲଡର ସଂସ୍ଥା ନିଜର ପ୍ରୋଜେକ୍ଟ ନିର୍ମାଣ ପାଇଁ ସବୁଆଡୁ ଜଳ ନିଷ୍କାସନ ପାଇଁ ବାଟ ବନ୍ଦ କରିଦେଉଛନ୍ତି । ଯାହା ଫଳରେ ବର୍ଷା ନିଷ୍କାସନ ହୋଇନପାରି ଗ୍ରାମରେ ଜମି ରହୁଛି।
ସେପଟେ ଏହାର ପ୍ରତିକାର ପାଇଁ ଗ୍ରାମ ମୁଖ୍ୟ ରାସ୍ତାରେ ଡ୍ରେନ ମଧ୍ୟ ନିର୍ମାଣ ହୋଇଥିଲା, ହେଲେ ବର୍ତ୍ତମାନ ଏହି ଡ୍ରେନରେ ଜଳ ନିଷ୍କାସନ ହୋଇପାରୁନାହିଁ । ଫଳରେ ସେହି ଅଳିଆ ଆବର୍ଜନା ଦୂଷିତ ପାଣି ରାସ୍ତା ଉପରକୁ ଚାଲିଆସି ଜମାହୋଇ ରହୁଛି । ରାଜ୍ୟରେ ହଇଜା ଓ କଲେରା ବ୍ୟାପିଥିବା ବେଳେ ଏହି ଗ୍ରାମରେ ମଧ୍ୟ ଅନେକ ଛୋଟ ଛୋଟ ପିଲା ଓ ବୟସ୍କଙ୍କୁ ଝାଡାବାନ୍ତି ଆଦି ଲକ୍ଷଣ ଦେଖାଦେଇଛି । ଯାହାକୁ ନେଇ ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି ।
ଗତକାଲି ସାମାନ୍ୟ ବର୍ଷାରେ ଗ୍ରାମ ଦଳିତ ସାହିରେ ଅନେକ ଲୋକଙ୍କ ଘରେ ପାଣି ପସି ଯାଇଥିଲା । ଚୁଲିରେ ପାଣି ପଶିଯିବା ଫଳରେ ଲୋକମାନେ ରୋଷେଇ କରିନାହାନ୍ତି। ସେପଟେ ଏହି ଘଟଣାକୁ ଦୁଇ ଦିନ ବିତିବାକୁ ବସିଥିବା ବେଳେ ଏ ନେଇ କୌଣସି ପ୍ରସାସନିକ ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଆଗକୁ ଯଦି ଏହି ଜଳବନ୍ଦୀ ସମସ୍ୟାର ସମାଧାନ ନ ହୁଏ ତେବେ ଗ୍ରାମବାସୀ ରାସ୍ତାରୋକ କରିବେ ବୋଲି ଚେତାବନୀ ଦେଇଛନ୍ତି ।
ଏ ସଂକ୍ରାନ୍ତରେ ବାରଙ୍ଗ ବ୍ଲକ ବିଡ଼ିଓ ସ୍ଵାଗତ ଦାସଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଜଳ ନିଷ୍କାସନ କାର୍ଯ୍ୟ ବ୍ଲକର ନୁହେଁ ଏବଂ ଗ୍ରାମରୁ ଜଳ ନିଷ୍କାସନ ପାଇଁ ଯେଉଁ ଡ୍ରେନ ନିର୍ମାଣ ହୋଇଥିଲା ତାହା ରାସ୍ତା ଓ ଗୃହ ବିଭାଗ ଡ୍ରେନ୍ ଠାରୁ ବହୁ ନୀଚ୍ଚରେ ରହୁଛି । ତେଣୁ ଗ୍ରାମର ଡ୍ରେନରୁ ବର୍ଷା ଜଳ ନିଷ୍କାସନ ହୋଇ ପାରୁନାହିଁ । ସେପଟେ ବର୍ଷାଜଳ ଜମି ରହୁଥିବାରୁ ଅନେକ ସ୍ଵାସ୍ଥ୍ୟଗତ ସମସ୍ୟା ଦେଖା ଦେଇଥିବାରୁ ତାହାକୁ ସେ ତଦାରଖ କରିବେ ବୋଲି କହିଥିଲେ ।