ପାଟଣାଗଡ଼, (୨୦/୦୩) : ଆପ୍ର. : ମାର୍ଚ୍ଚ ମାସ ଆରମ୍ଭରୁ ପ୍ରଚଣ୍ଡ ଖରା ହେତୁ ଶୁଖି ଯାଉଛି ନଦୀ ପୋଖରୀ । ସବୁଆଡେ ଜଳକଷ୍ଟ । ପାଣି ମୁନ୍ଦିଏ ପାଇଁ ପଡ଼ିଛି ହାହାକାର ।
ପାଣି ଅଭାବରୁ ଜଳଯୋଗାଣ ପ୍ରକଳ୍ପ ଗୁଡ଼ିକ ହୋଇ ଗଲାଣି ଅଚଳ । ଏପରି ପରିସ୍ଥିତିରେ ଗାଁ ଲୋକଙ୍କୁ ପିଇବା ପାଣି ଯୋଗାଇ ଦେବା ପାଇଁ ଅଭିନଵ ଉପାୟ କରି ଲୋକଙ୍କ ପ୍ରଶଂସା ସାଉଣ୍ଟୁଛି ଗ୍ରାମପଞ୍ଚାୟତ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ତମିଆଁ ଗାଁ, ପାଞ୍ଚୋଟି ୱାର୍ଡ ବିଶିଷ୍ଠ ଏହି ଗାଁ ରେ ଲୋକଙ୍କ ଜଳକଷ୍ଟ ଯୋଗାଇ ଦେବା ପାଇଁ ତିଆରି ହୋଇଛି ଜଳଯୋଗାଣ ପ୍ରକଳ୍ପ ଓ ସୁକ୍ତେଲ ନଦୀରୁ ଇଣ୍ଟେକୱେଲରୁ ଓଭରହେଡ଼ ଟେଙ୍କକୁ ପାଣି ଚଢାଯାଇ ଗାଁ ଲୋକଙ୍କୁ ପିଇବା ପାଣି ଯୋଗାଇ ଦିଆଯାଉଥିଲା । ହେଲେ ଏ ବର୍ଷ ମାର୍ଚ୍ଚ ମାସରୁ ଖରାର ପ୍ରକୋପ ବଢ଼ିଥିବାରୁ ସୁକ୍ତେଲ ନଦୀ ଧାର ଶୁଖିଯାଇଛି ଓ ଜଳସ୍ତର ମଧ୍ୟ ତଳକୁ ଖସିଯିବା ହେତୁ ଇଣ୍ଟେକ ୱେଲ ଶୁଖିଲା ପଡିଛି। ଦୀର୍ଘ ୧୦ ଦିନ ହେଲା ଗାଁ କୁ ଜଳଯୋଗାଣ ପ୍ରକଳ୍ପରୁ ପାଣି ଯୋଗାଣ ବନ୍ଦ ହୋଇ ଯାଇଥିବା ବେଳେ ଗାଁରେ ଜଳକଷ୍ଟ ଦେଖା ଦେଇଥିଲା ।
ଗାଁର ଜଳକଷ୍ଟ ଦେଖି ଗ୍ରାମପଞ୍ଚାୟତ ତରଫରୁ ମିଟିଙ୍ଗ କରାଯାଇଥିଲା । ସୁକ୍ତେଲ ନଦୀ ମଝିରେ ଜେସିବି ସାହାଯ୍ୟରେ ଖୋଳାଯାଇ ଦୁଇଟି କେସିଙ୍ଗ ପାଇପ ଦବାଯାଇ ଇଲେକ୍ଟ୍ରିକ ମଟର ବସାଇ ଇଣ୍ଟେକୱେଲକୁ ପାଣି ଭର୍ତ୍ତି କରି ଓଭର ହେଡ଼ ଟାଙ୍କିକୁ ପାଣି ଚଢାଯାଇ ଗ୍ରାମବାସୀଙ୍କୁ ପିଇବା ପାଣି ଯୋଗାଇ ଦିଆଯାଇଛି । ତମିଆଁ ସରପଞ୍ଚଙ୍କ ଉପସ୍ଥିତ ବୁଦ୍ଧି ହେତୁ ଗ୍ରାମବାସୀ ସୁବିଧାରେ ପିଇବା ପାଣି ପାଇ ପାରିଥିବାରୁ ସରପଞ୍ଚଙ୍କୁ ଧନ୍ୟବାଦ ଦେଇଛନ୍ତି ।