ଗଞ୍ଜାମ, (୨୨/୦୪) : ଆପ୍ର. : ପୁଅର ପ୍ରେମ ପାଇଁ ବାପାକୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କୁମୁଣ୍ଡା ଗାଁରେ ଘଟିଛି ଏଭଳି ହତ୍ୟାକାଣ୍ଡ ।
ଏହି ଗାଁ’ର ହାଡ଼ିବନ୍ଧୁ ଗୌଡ଼ଙ୍କ ମୃତଦେହକୁ ଗାଁ ଶେଷ ମୁଣ୍ଡରେ ଥିବା ଏକ ଶୁଖିଲା କେନାଲ ଭିତରୁ ରକ୍ତଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ପରେ ମୃତଦେହକୁ ଭଂଜନଗର ମେଡିକାଲରେ ବ୍ୟବଚ୍ଛେଦ କରିଛି ପୋଲିସ । ତେବେ ପାରିପାର୍ଶ୍ବିକ ଅବସ୍ଥା ପ୍ରକାରେ ହାଡିବନ୍ଧୁ ନିଜ କ୍ଷେତରୁ ସାଇକେଲ ଯୋଗେ ଘରକୁ ଫେରୁଥିବା ବେଳେ ସଂଘବଦ୍ଧ ଭାବେ କାଠ ଫାଳିଆରେ ଆକ୍ରମଣ କରାଯିବା ସହ ପଥର ଛେଚି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ଜଗନ୍ନାଥପ୍ରସାଦ ଥାନାଧିକାରୀଙ୍କ ସମେତ ଭଂଜନଗର ଏସଡ଼ିପିଓ , ଅତିରିକ୍ତ ଏସପି, ଗଂଜାମ ଏସପି ଏବଂ ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣା ସ୍ଥଳରୁ ବିଭିନ୍ନ ନମୁନା ସଂଗ୍ରହ କରିଛନ୍ତି ।
ଅଭିଯୋଗ ପ୍ରକାରେ ଗତ କିଛି ଦିନ ପୂର୍ବରୁ, ମୃତକଙ୍କ ମଝିଆ ପୁଅ, ସେହି ଗାଁର ଜଣେ ଝିଅକୁ ଭଲପାଇ ଫେରାର ହୋଇଯାଇଛି । ଏନେଇ ମୃତକଙ୍କ ପରିବାରକୁ ଧମକଚମକ ଦିଆଯାଉଥିବା ନେଇ, ସାନପୁଅ ଅଭିଯୋଗ କରିଛନ୍ତି । ଏହାର ପ୍ରକୃତ କାରଣ ନେଇ, ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।