ଭଦ୍ରକ, (୨୦/୦୩) : ଆ.ପ୍ର. : ପୋଖରୀରେ ମାଛ ଧରିବା ହେଲା କାଳ । ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ ହୋଇଛି ।
ଏଭଳି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ବୟା ବନାପୁର ଗାଁ’ରେ । ମୃତ ଯୁବକ ହେଉଛନ୍ତି ଦୁର୍ଯ୍ୟୋଧନ ଜେନା । ଗାଁ ପୋଖରୀରେ ମାଛ ଧରିବା ପାଇଁ ଇଲେକଟ୍ରିକ ମୋଟର ପମ୍ପରେ ପାଣି ନିଷ୍କାସନ କରାଯାଉଥିଲା ବେଳେ ପମ୍ପଟି ହଠାତ ଚାର୍ଜ ହୋଇ ଯାଇଥିଲା । ଦୁର୍ଯ୍ୟୋଧନ ସେଠାରେ ପହଂଚି ପୋଖରୀକୁ ଯାଉଥିବା ବେଳେ ବିଦ୍ୟୁତ ଆଘାତରେ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ତୁରନ୍ତ ଚିକିତ୍ସା ପାଇଁ ଭଣ୍ଡାରିପୋଖରୀ ଡାକ୍ତରଖାନା କୁ ଆଣିଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଭଣ୍ଡାରିପୋଖରୀ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।