ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୧୧/୮) : ଆଜି ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କରକମଳରେ, ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଦ୍ଵାରା ବିକଶିତ ଜୈବ ପରିପୂର୍ଣ୍ଣ ଏବଂ ଜଳବାୟୁ ଅନୁକୂଳ ୧୦୯ କିସମର ବିହନ ରାଷ୍ଟ୍ରକୁ ସମର୍ପିତ କରାଯାଇଛି ।
ଏହି ଅବସରରେ କୃଷି ବିଜ୍ଞାନ କେନ୍ଦ୍ର ଗୁଣପୁର ପରିସରରେ କୃଷକ ଓ କୃଷିଜୀବୀ ମହିଳା ମାନଙ୍କୁ ନେଇ ଏକ ତାଲିମ୍ ଶିବିର ତଥା କୃଷକ ବୈଜ୍ଞାନିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ପ୍ରାୟ ୮ଟି ଗ୍ରାମର କୃଷକ ଯୋଗଦେଇ ବିଭିନ୍ନ ଜୈବ ପରିପୂର୍ଣ୍ଣ ବିହନର ଗୁଣବତ୍ତା ଉପରେ ଆଲୋକପାତ କରିଥିଲେ । ଅଣ ଧାନ ଚାଷ ଉପରେ ଗୁରୁତ୍ବ ଦେବାସହ ବୈଜ୍ଞାନିକ ପଦ୍ଧତିରେ ଖରିଫ ଚିନାବାଦାମ ଚାଷ କାର୍ଯ୍ୟକ୍ରମର ମୂଖ୍ୟ ଆକର୍ଷଣ ଥିଲା । ପ୍ରାକୃତିକ ଚାଷ, ବର୍ଷା ଦିନିଆ ଚାଷରେ ସାମ୍ଭାବ୍ୟ ରୋଗ ପୋକ ଓ ତା’ର ପ୍ରତିକାର , ଆନୁଷଙ୍ଗିକ କୃଷି କାର୍ଯ୍ୟରେ ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ , ଚାଷୀ ମାନଙ୍କୁ ପାଣିପାଗ ସମ୍ବନ୍ଧରେ ସଚେତନ କରାଇବା ପାଇଁ ମେଘଦୂତ ଆପ୍ ର ପ୍ରୟୋଗ ଇତ୍ୟାଦି ଵିଷୟର ଆଲୋଚନା ହୋଇଥିଲା ।
ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମାଧ୍ୟମରେ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ମାନେ କୃଷି କ୍ଷେତ୍ରରେ ଦେଖାଯାଉଥିବା ସମସ୍ୟାର ସମାଧାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ବୈଜ୍ଞାନିକା ଡ଼ଃ ସୁସ୍ମିତା ମହାନ୍ତି , ବୈଜ୍ଞାନିକ ରାଜୀବ ଟୁଡୁ , ଡ଼ଃ ନାରାମ ରାମୁ ,ହିମାଦ୍ରି ଵାଗ ଓ ପରିମଳ ତରାଇ ପ୍ରମୁଖ ପରିଚାଳନା କରିଥିଲେ ।