ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କାମାକ୍ଷାନଗର, (୨୦/୦୨) : ତୁମୁସିଙ୍ଗା ଥାନା ଗୁନେଇବିଲି ଗ୍ରାମରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି ।
ନିଜ ଘର ସାମ୍ନାରେ ଥିବା ଗ୍ୟାରେଜ ଘର ଭିତରେ ମୃତଦେହ ପଡ଼ିଥିବା ବେଳେ ଘର ବାହାରେ ପଡିଛି ତାଲା l ମୃତ ପ୍ରଧାନ ଶିକ୍ଷୟିତ୍ରୀ ଜଣକ ତୁମୁସିଙ୍ଗା ଗ୍ରାମ ପଞ୍ଚଶଖା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଭାତୀ ଦେହୁରୀ । ସୂଚନା ଅନୁସାରେ ପ୍ରଭାତୀ ସବୁଦିନ ପରି ରାତିରେ ଖାଇପିଇ ସାରି ଘରେ ନିଜ ପୁଅ, ଝିଅ ଓ ଶ୍ୱଶୁର ଓ ଜଣେ ଦିବ୍ୟାଙ୍ଗ ଦିଅରଙ୍କ ସହ ଘରେ ଶୋଇଥିଲେ । ସକାଳୁ ଡ୍ରାଇଭର ଘରକୁ ଆସି ପ୍ରଭାତୀଙ୍କୁ ସ୍କୁଲ ନେବା ପାଇଁ ଡ଼ାକିଥିବା ବେଳେ ଶଶ୍ୱର ବୋହୂ ଘରେ ନଥିବା କହିଥିଲେ । ପରେ ପରିବାର ଲୋକ ଏଣେତେଣେ ଖୋଜାଖୋଜି କରିବାରୁ ଘର ସାମ୍ନାରେ ଥିବା ଗ୍ୟାରେଜ ଘରୁ ବାହାରୁ ତାଲା ପଡ଼ିଥିବା ଦେଖିଥିଲେ । ଘର ତାଲା ଭାଙ୍ଗିବାରୁ ପ୍ରଭାତୀ ଘର ଭିତରେ ସନ୍ଦେହ ଜନକ ଭାବେ ମରିପଡ଼ିଥିବା ଦେଖିବାକୁ ପାଇଥିଲେ ।
ଏନେଇ ପ୍ରଭାତୀଙ୍କ ଶଶ୍ୱର ତୁମୁସିଙ୍ଗା ଥାନାରେ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପାରିପାର୍ଶ୍ଵିକ ପରିସ୍ଥିତିକୁ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି । ଢେଙ୍କାନାଳ ଜିଲ୍ଲା ସାଇଣ୍ଟିଫିକ ଟିମ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି । ତେବେ ଯାଞ୍ଚ ପରେ ମୃତ ଶିକ୍ଷୟିତ୍ରୀଙ୍କ ଦୁଇଟି ମୋବାଇଲ ଓ ତାଙ୍କ ଝିଅର ମୋବାଇଲ ଗାଏବ ହୋଇଥିବା ନେଇ ପୋଲିସ ସୂଚନା ପାଇଛି । ଏବଂ ଶିକ୍ଷୟିତ୍ରୀ ଙ୍କ ସୁନାହାର ମଧ୍ୟ ଲୁଟ ହୋଇଥିବା ନେଇ ଜଣାପଡିଛି । ଯାହାକୁ ନେଇ ଘଟଣାରେ ନୂଆ ମୋଡ଼ ସୃଷ୍ଟି ହେଉଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ହତ୍ୟା ନା ସେ ଜୀବନ ହାରିଛନ୍ତି ତାହା ସନ୍ଦେହ ସୃଷ୍ଟି କରୁଛି ।